Unknown

 

 

 

 

 

 

 

 

ବଡ଼ଲୋକ

(ଗୀତିନାଟ୍ୟ ବା ଯାତ୍ରା)

ଶ୍ରୀ ରାମଶଙ୍କର ରାୟ

 

ନାଟ୍ୟୋଲ୍ଲିଖିତ ବ୍ୟକ୍ତିମାନଙ୍କର ନାମ

ପୁରୁଷ

ଚୌଧୁରୀ ଭୋଳାନାଥ ସାମନ୍ତରାୟ

ଜମିଦାର

ମୁକୁନ୍ଦ

ପୁତ୍ର

ରତନ ଓ ମାଣକ

ମୋ’ ସାହେବ ଦ୍ୱୟ

ଭଜନ ଲେଙ୍କା

ମାଳୀ

ବାମଦେବ

ଶିକ୍ଷିତବ୍ୟକ୍ତି

ହରି

ସଙ୍ଗୀତ ଓସ୍ତାଦ

ଲକ୍ଷଣ

ସାଜବାଲା

ପାଣ୍ଡବ ସାହୁ

ଗୁଡ଼ିଆ

ସାଧୁପଣ୍ଡା

ଲୁଗାବେପାରୀ

ଘନସାହୁ

ତେଲୀ

ଚୈତନ ଦେ

ତାମ୍ବୁଳୀ

ମଦନ ଓ ପଦନ

ଭଡ଼ୁଆଦ୍ୱୟ

ମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀ

ମଠଧାରୀ

ଚାନ୍ଦମଣି

ଗୁମାସ୍ତା

କେଶବ ଓ ରଘୁ

ଗୋପାଳଦ୍ୱୟ

ଧୁନ୍ଦା ଓ ବୁନ୍ଦା

ପ୍ରହରିଦ୍ୱୟ

ଦ୍ୱାରୀ, ବୈଷ୍ଣବଦଳ, ନାଟଦଳ, ପିଆଦା, ଚପରାସୀ, କେଳା, ସାଧୁ, ଚୌକୀଦାର, ଶିଳ୍ପୀ, କନ୍ଧ ଇତ୍ୟାଦି ।

ସ୍ତ୍ରୀ

ସୁଲୋଚନା

ଭୋଳାନାଥର ସ୍ତ୍ରୀ

ଚନ୍ଦ୍ରକଳା

ଦାସୀ

ପ୍ରିୟବତୀ

ବାମଦେବର ସ୍ତ୍ରୀ

ସ୍ୱର୍ଣ୍ଣଲତା

ବାମଦେବର କନ୍ୟା

ଯାମିନୀ ଓ କାମିନୀ

ସ୍ୱର୍ଣ୍ଣଲତାର ସହଚରୀ

ନେତୀ ଓ ପେତୀ

ବେଶ୍ୟାଦ୍ୱୟ

ଦାସୀ, କେଲୁଣି ଓ କନ୍ଧୁଣୀ ।

* ସନ ୧୯୧୩ ଖ୍ରୀଷ୍ଟାବ୍ଦରେ ରଚିତ ଓ ଅଭିନୀତ ।

 

 

ପ୍ରସ୍ତାବନା

 

(ଗୀତ ଗାଉଁ ୨ ଅଦୃଷ୍ଟ - କୁମାରୀମାନଙ୍କର ଏକ ଏକ ହୋଇ ପ୍ରବେଶ ଓ ନୃତ୍ୟ ।)

ରାଗିଣୀ ଶଙ୍କରା । ତାଳ ଆଡ଼ଖେମଟା ।

 

ପ୍ରଥମ ଅଃ କୁଃ

-

କେ ଧନୀ କେ ଜ୍ଞାନୀ ମାନୀ କେ ବୋଲ ବଡ଼ ସଂସାରେ ।

ଦ୍ୱିତୀୟ ଅଃ କୁଃ

-

ପରକୁ ଯେ କରେ ବଡ଼ ଛାର ସର୍ବେ ତାହାଠାରେ । ଘୋଷା ।

ତୃତୀୟ ଅଃ କୁଃ

-

ହୀରା ଯେ ପଥର ପରା

ଚତୁର୍ଥ ଅଃ କୁଃ

-

ଦୁଃଖିକି ଦିଅଇ ଧରା,

ପଞ୍ଚମ ଅଃ କୁଃ

-

ଜ୍ୟୋତି ତାର ପରପାଇଁ ପରଖି ନିଅ ବେଭାରେ । ୧ ।

ସମସ୍ତେ

-

ଯେ କାନ୍ଦଇ ପରପାଇଁ ଦେଶହିତେ ରତଥାଇଁ,

 

 

ତୁଳସୀ- ପତର ପରି ସୁବାସ ଆପେ ବାହାରେ । ୨ ।

 

 

(ଅଦୃଷ୍ଟ - କୁମାରୀମାନଙ୍କର ପ୍ରସ୍ଥାନ ଓ ଯବନିକା ପତନ ।)

 

ପ୍ରଥମ ଅଭିନୟ

ପ୍ରଥମ ଦୃଶ୍ୟ

ଉଦ୍ୟାନ

(ରତନ ଓ ମାଣିକର ଗୋଟିଏ ଲେଖାଏଁ ଗୋଡ଼ରେ ଘୁଙ୍ଗୁର ବାନ୍ଧି ଧରାଧରି ହୋଇ ନୃତ୍ୟସହିତ ଗୀତ ଗାଉଁ ୨ ପ୍ରବେଶ ।)

 

ରତ ଓ ମାଣି

-

(ଗୀତ)

 

 

ରାଗିଣୀ କାଫି । ତାଳ କବାଲୀ ।

 

 

ଯୋଡ଼ି ଯୋଡ଼ି ରତନେ କି ବାହାର ।

 

 

କେଡ଼େ ଚକଚକ ଜକଜକ ଝକମକ ତାର -

 

 

ପଡ଼ିଗଲେ ଆଖି ଥରେ ଟାଣେ ବାର ବାର । ଘୋଷା ।

 

 

ଅନ୍ଧାର ସଂସାର ଯେବେ ଚନ୍ଦ୍ର ସୂର୍ଯ୍ୟ ନାହିଁ,

 

 

ଶୋଭେ ସର ସରୋଜିନୀ କୁମୁଦିନୀ ଥାଇ,

 

 

ଗୀତ ବାଦ୍ୟ ଯୋଡ଼ି ଘେନି ସଭା ଅଳଙ୍କାର ମାନି, -

 

 

ଯୋଡ଼ି ନାଟୁଆରେ ନାଟ ଅଭିନୟ ସାର ।୧।

 

 

ବୋତଲ ଗିଲାସ ଯୋଡ଼ି ନ ହେଲେ ନ ଚଳେ,

 

 

ଯୋଡ଼ି ମୋ’ ସାହେବ ହେଲେ ମଜା କେତେ ବଢ଼େ

 

 

ଗୁରୁଚାଟ ସୁରାଚାଟ ହେବ ଯେବେ ଯୋଡ଼ି ଭେଟ -

 

 

ଭବସିନ୍ଧୁ ଅବହେଳେ ହୋଇଯିବ ପାର ।୨।

 

 

[ଭଜନାର ପ୍ରବେଶ ।]

ଭଜ

-

(ହସ୍ତ୨) ବାହାବା ! ବାହାବା ! ଗଙ୍ଗା ଯମୁନା ଏକାଠି ମିଳି ବହି ଯାଉଛନ୍ତି ! (ସେହି ସ୍ୱରରେ)

 

 

କ୍ଷୀରନୀର ମିଳାଇ ଗୋପାଳ ଯାଏ ତରି,

 

 

ଗଙ୍ଗା- ଯମୁନା ସଙ୍ଗମେ ପାପଯାଏ ଡରି,

 

 

ଦୁଇମନ ଏକ ହେଲେ ପ୍ରଭେଦ ନ ଥାଇ ତିଳେ -

 

 

ଗୋଡ଼କେ ଘୁଙ୍ଗୁର ମଜା ଲୁଟେ ଭାରଭାର ।

ରତ ଓ ମାଣି

-

(ପରସ୍ପରକୁ ଅନାଇ ଭଜନାକୁ ଅଙ୍ଗୁଳି ଦେଖାଇ ନିଶାଭୋଳରେ) ଠିକ କହିଛି - ଠିକ କହିଛି ! ରତନକୁ ରତନ ଚିହ୍ନେ - ଭଜନା ମାଳିରତନ । !

ଭଜ

-

ଆଉ କଣ ଘୁଙ୍ଗୁର ମିଳିଲା ନାହିଁ ଯେ ଗୋଟାଏ ଗୋଟାଏ ଗୋଡ଼ରେ ଘୁଙ୍ଗୁର ବାନ୍ଧିଛ ?

ରତ

-

ଆରେ ଗୋଟାଏ ଗୋଡ଼କୁ ତ ରାଇଜ ନାହିଁ - ଦିଟା ହେଲେ ସ୍ୱର୍ଗକୁ ଯାଇ ସାରିଥାନ୍ତୁଁଣି !

ମାଣି

-

ଆରେ ଭଜନା - ତୁ - ତୁ- ବଗିଚା ଛାଡ଼ି ଯାଇଥିଲୁ କୁଆଡ଼େ ?

ଭଜ

-

(ପୂର୍ବ ରାଗରେ)

 

 

ମାଳୀ ବଗିଚାର ରାଜା କାହାକୁ ନ ଡରେ,

 

 

ଭଜନା ମାଳୀର ରାଜା ତା ହୁକୁମ କରେ,

 

 

ରସିକ ଭାବୁକ ଗୁଣୀ ମାଳୀ ମତୁଆଲା ପୁଣି

 

 

ବୈକୁଣ୍ଠେ ଭଜିବ ମାଳି - ସୁଖ ପାରାବାର ।

ମାଣି

 

ଆଉ ଦୁନିଆରେ ରହିବୁ ନାହିଁ - ସଶରୀରେ ସ୍ୱର୍ଗବାସ ! ଆରେ ଚଉଁରିରେତ ହଳେ ଘୁଙ୍ଗୁର ଥିଲା, ପିନ୍ଧି ଆସିଲୁଁ। - ବୋତଲ କାହିଁ ?

ରତ

-

ଭଜନା ରସିକ ହୋଇ ଗଲାଣି - ମଦ ଖାଇ ଶିଖିଲା ଦିନୁ ଆଉ ବଗିଚା କାମରେ ତାର ମନ ନାହିଁ ।

ଭଜ

-

ସାନ୍ତେ ଦରମା ଦେବାକୁ ଯେମନ୍ତ ଭଜନା କାମ କରିବାକୁ ତେମନ୍ତ । ତୁମେ ମଦ ଖୁଆଇ ଶିଖାଇଲ - ମୁ ଚୁଟି କାଟି ବାବୁ ହେଇଗଲି । (କାଖରୁ ବୋତଲ ବାହାରକରି ଦେଖାଇ ଗୀତ)

 

 

ରାଗିଣୀ ଝିଝିଁଟ । ତାଳ ଛପକା ।

 

 

ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।

 

 

ଆଉ ରାଧାକୃଷ୍ଣ ନାମ ଭଜ ନା ରେ । ଘୋଷା ।

 

 

ଚୁଟି କେବେ ରଖ ନା ରେ ଖାଲି ଗୋଡ଼େ ଯା ନା -

 

 

ତାଳପତ୍ର ଛତା କେବେ ଧର ନା ରେ । ୧ ।

ରତ

-

ମୁଁ ତ ଦିନେ ଟୋପାଏ ତୋତେ ଦେଇଥିଲି !

ଭଜ

-

ବସ୍‌- ସେହି ଟିକିକ ପାଇ ଜଗାଇ ମାଧାଇ ପରି ଉଦ୍ଧାର ହୋଇ ଯାଇ ଖାଲି ତାକୁଇ ଭଜୁଛି । ସାନ୍ତେ

ତାକୁଇ ଭଜୁଛନ୍ତି

-

ଗାଁ ଯାକ ତାଙ୍କ ଲାଗି ଉଦ୍ଧାର ହୋଇ ଯାଇ ସେଇଆ ଭଜୁଛନ୍ତି, ଆଉ ଭଜନା ତୁମ ଯୋଗେ ମିଠା ଟିକିଏ ପାଇ ତାକୁ ଛାଡ଼ି ଆଉ କିଛି ଭଜୁ ନାହିଁ ।

ରତ

-

ସେହିଟା ତୋର ପରା ଭଜନ ହୋଇ ଗଲାଣି ।

ଭଜ

-

ଆଉ କିସ କରିବି ମୋ’ ସାହେବ ବାବୁ ? ଦରମା ଫରମା ତ ବର୍ଷେ ହେଲା ମିଳିବାକୁ ନାହିଁ - ବଗିଚାରେ ଯାହା ହୁଏ ସବୁ ବିକି ଭାଙ୍ଗି ଖାଉଛି - ଜମିଦାରଙ୍କର କେହି ଆସନ୍ତି ନାହିଁ ଯେ ଧରିବେ । ଥରେ ଥରେ ଗାଁରୁ ନିତିଆ-ମା ମଣିଷ ପଠାଇ ଦିକ୍‌କରେ, - କଣ କରିବ, ବାହା ହେଇଥିଲି, ପୁଅଟା ହେଇଛି, ନ ଦେଲେ ସେ ବଞ୍ଚିବେ କିପରି ? କଲମ ଫଲମ ଯାହା ବାନ୍ଧିଥାଏଁ ବିକି ତାକୁ ଅଧେ ଦିଏଁ ଆଉ ଅଧକରେ ଲାଲଗୁଲାଲ ସେବା କରେଁ ।

ରତ

-

କାନ୍ଧରେ ଗୋଟାଏ ନୂଆ କୁର୍ତ୍ତା କି ରେ ?

ଭଜ

-

ହଁ ବାବୁ ! ଜାଡ଼ଦିନ ହେବ ବୋଲି ଗୋଟାଏ ମଣିଷମୁଣ୍ଡିଆ ଆାମ୍ବଗଛର କଲମୀ କରି ସାଆନ୍ତଙ୍କ ଗ୍ରାମକୁ ଯାଇଥିଲି । ସାନ୍ତେ ଭାରୀ ଖୁସି ହୋଇ କୁର୍ତ୍ତାଟିଏ ଆଉ ପାଞ୍ଚୋଟି ଟଙ୍କା ବକ୍‌ସିସ୍‌ ଦେଲେ ।

ମାଣି

-

କଲମୀଟା କଣ ହେଲା ?

ଭଜ

-

ସାଆନ୍ତେ କହିଲେ ବଗିଚାରେ ଲଗାଇବାକୁ - ସେ ଆସୁଛନ୍ତି ନାଁ ଦେଖୁଛନ୍ତି- ମୁଁ ହାଟରେ ଟଙ୍କାଟିକୁ ବିକି ଦେଲି ।

ରତ

-

କେମନ୍ତ ? ଭଲ ନିମକସଚ୍ଚା ଚାକରଟିଏ ଏକା !

ଭଜ

-

ମୋ’ ସାହେବ ବାବୁ, ପେଟ ପୋଷ ନାହିଁ ଦୋଷ, କଥା ଅଛି । - ଆଉ ମୁଁ କଣ ଏକା ଚୋର ? ତନ୍ତି ସୂତା ଚୋରାଏ, ଦର୍ଜୀ ଲୁଗା ଚୋରାଏ, କେଉଟ ମାଛ ଚୋରାଏ, ବଢ଼େଇ କାଠ ଚୋରାଏ, ଅବଧାନ ପାଠ ଚୋରାଏ, ଓସ୍ତାଦ ଘତ ଚୋରାଏ, ବଣିଆ ସୁନା ଚୋରାଏ, ଆଉ ଘରଣୀ କନା ଚୋରାଏ ।

ରତ

-

ଶାସ୍ତ୍ର ତ ତୋହରି ମୁହଁରେ ! - ଟଙ୍କା କଣ କଲୁ ?

ଭଜ

 

ପାଞ୍ଚଟଙ୍କାରୁ ରେସା ଖାଇ ଗୁମାସ୍ତାଏ ଦେଲେ ପାଞ୍ଚସୁକା ; ମୁଦିଠୁ ଭୁଜାବାଲୀ ଯାଏ ସମସ୍ତଙ୍କର କାଳୀ ହୋଇଥିଲା ତାଙ୍କୁ ଦେଲି ଆଉ ଦଶଅଣାର ମାଲ ଆଣିଲି ।

ରତ

-

ମାଲ କାହିଁକି କିଣିଲୁ ? କହିଥିଲେତ ବିଲାତୀ ମାଲ ବୋତଲେ ଦେଇଥାନ୍ତି, ଶ ଶ ବୋତଲ ଧରା ହୋଇଛି ।

ଭଜ

-

ହଁ ତା ହେଇଥାନ୍ତା, - ଶୁଣି ନାହଁ କି ସ୍ୱଦେଶୀ ସ୍ୱଦେଶୀ ବୋଲି ଚାରିଆଡ଼େ ହୁରି ପଡ଼ିଛି, ସେଇଆ ହାଟରେ ଶୁଣି ଶୁଣ୍ଢିଠାରୁ ସ୍ୱଦେଶୀ ବୋତଲେ ଆଣିଲି ପରା ! (ମାଣିକକୁ ବୋତଲ ଦେବା !)

ମାଣି

-

(ବୋତଲକୁ ନିରୀକ୍ଷଣ କରି) ଏ ବୋତଲ କି ସ୍ୱଦେଶୀ !

ଭଜ

-

ସବୁ ସୁଅ ଦେଶରେ ଭାସି ଯାଉଛି ! (ରତନକୁ କୁର୍ତ୍ତା ଦେବା ।)

ରତ

-

(କୁର୍ତ୍ତା ମେଲାଇ ଦେଖି) ବାଃ ଏତ ଗରମ କୋଟ । ଆ, ମୁଁ ତୋତେ ପିନ୍ଧାଇ ଦେବି । ତୋର ତ ଚୁଟି ନାହିଁ - ସାଜିବ ।

ଭଜ

-

ଚୁଟି ଥିଲେ ବି ପୂଜାବାଲାଙ୍କ ପରି ସାଜିଥାନ୍ତି ! ମୁଁ ପିନ୍ଧିବି ଯେ, ମୋତେ ଦିଅ-। (କୋଟ ନେଇ ଓଲଟା ପିନ୍ଧି ପିଠିଆଡ଼ କରି) ଦିଅ ବାବୁ ବୋତାମ ଲଗାଇ ଦେବଟି ।

ରତ

-

ଆରେ ଓଲୁ, ଓଲଟା ହେଲା ଯେ - ମୁଁ ପିନ୍ଧାଇ ଦିଏଁ ।

ଭଜ

-

ନା ନା ଏହିବାରେ ପିନ୍ଧନ୍ତି - ହଠାତ୍‌ବାବୁ ପରା ! ବୋତାମଗୁଡ଼ାକ ଆଗରେ ହେଲେତ ବାବୁ ହାତରେ ବୋତାମ ଲଗାନ୍ତେ, ଚାକର ଲୋଡ଼ା ହୁଅନ୍ତା କାହିଁକି ?

ରତ

-

ହେଲା, ତୋରି କଥା ହେଉ । (ବୋତାମ ଲଗାଇଦେଇ) ଚାଲ ତୋତେ ଏହି ବେଶରେ ସାଆନ୍ତଙ୍କ କତିକି ନେଇଯିବି ।

ଭଜ

-

ଚାଲ, ବସାରେ ଆଗେ ମାଲ ଟିକିକ ମାରିଦେବା । (ପୂର୍ବ ରାଗରେ ଗୀତ)

 

 

ଭୂଜା ଚୂଡ଼ା କନ୍ଦ ଉଖୁଡ଼ା ଆଉ ଏବେ ଖାନା ।

ସ୍ୱର୍ଗ

 

ଗଙ୍ଗା- ପାଣି- ବୋତଲ ଛାଡ଼ ନାରେ ।

 

 

ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।

 

 

[ସଂକୀର୍ତ୍ତନ କରୁ ୨ ନୃତ୍ୟଭଙ୍ଗୀରେ ଏକଦଳ ବୈଷ୍ଣବର ପ୍ରବେଶ ଏବଂ ରତନ, ମାଣିକ ଓ ଭଜନାର ବିଦ୍ରୁପାତ୍ମକ ନାନା ପ୍ରକାର ନୃତ୍ୟ ଓ ଅଙ୍ଗଭଙ୍ଗୀ-।]

ବୈଷ୍ଣବଦଳ

-

(କୀର୍ତ୍ତନ)

 

 

ରାଗିଣୀ ସୁରଟମିଶ୍ରିତ । ତାଳ ଏକତାଲା ।

 

 

ପ୍ରାଣର ପ୍ରିୟ ଭାଇ ପିଅ ହରିନାମ - ସୁଧା ମୁଖେ ।

 

 

ବସୁଧା ଭୁଲାଇ ସେହି ସୁଧା ନେଇ ବୈକୁଣ୍ଠେ ବସାଏ ସୁଖେ । ଘୋଷା ।

ସେହି ସୁଧା

-

ସୁରାଠାରୁ ବଳେ ଭାଇ,

ନିଶା

-

ବଳି ତାକୁ ଆନ ନାହିଁ,

 

 

କେତେ ପ୍ରେମ ଘେନି ଭକ୍ତ - ବାଞ୍ଛା ମାନି ରାଧାକୃଷ୍ଣରୂପେ ଲୋକେ

 

 

ଅବତରିଲେ -ଭକତ- ଉଦ୍ଧାର ପାଇଁ,

 

 

ପ୍ରେମ, ଶୁଦ୍ଧପ୍ରେମ, ପ୍ରେମବିନା ସ୍ୱାର୍ଥ ଆନ ନାହିଁ ,

 

 

ଭଜ ଦିନରାତି ଭାବଭୋଳେ ମାତି ହରିବୋଲ ସୁଖେଦୁଖେ-

 

 

ହରିବୋଲ ହରିବୋଲ ହରି ହରି ବୋଲ ବୋଲ ମୁଖେ ।୧।

 

 

ମାନମୟୀ ସେହି ରାଧା ପାଇ ପାଇ ପାଏ ବାଧା,

 

 

ଦୟାମୟ କୃଷ୍ଣ ପ୍ରେମୀ ଆସେ ପାଶେ ନୁହେଁ ଜାଣି,

 

 

ଭାଙ୍ଗିବା ପାଇଁ ସେ ମହତ ଗୁମାନ ଧରେ ପାଦପଦ୍ମ ବେନି -

 

 

ଭକ୍ତପାଦ ଶିର ମଣ୍ଡେ - ବିନୟୀ ନ ଛାଡ଼େ ଦଣ୍ଡେ,

 

 

ନ ପାଇବ ଏଡ଼େ ପ୍ରେମମୟ ପ୍ରଭୁ ଭ୍ରମି ଭ୍ରମି ତିନିଲୋକେ -

 

 

ହରିବୋଲ ହରିବୋଲ ହରି ହରି ବୋଲ ବୋଲ ମୁଖେ ।୨।

ଭଜ

-

(ମୁଖ ଭଙ୍ଗୀକରି) ବାଃ ! ବାଃ ! ଖାଲି ଗାଇଲୁ ! ପିଅ ହରିନାମ ମୁଖେ ! ପିଅ ହରିନାମ ମୁଖେ ! ପିଅ ହରିନାମ ମୁଖେ - ମୁହଁତ ଅଛି, ନାମଟା ପିଇବ କିପରି ? ଏଁ

ରତ

-

(ତତ୍‌ବତ୍) ପିଅ ହରିନାମ ମୁଖେ ! ସୂରାଟାତ ପିଇବା ପଦାର୍ଥ - ନାମଟା କେମନ୍ତେ ପିଇବ ? ଏଗୁଡ଼ାକ ତୁଚ୍ଛା ଗାଲୁଆ !

ମାଣି

-

(ତଦ୍ଦତ୍‌) ପିଅ ହରିନାମ ମୁଖେ ! ସୁରା ପିଇ କେମନ୍ତ ନିଶା ହୋଇଛି ଦେଖ - ନାମଟାରେ ନିଶା ହେବ କେଉଁଆଡ଼ୁ ?

ବୈଷ୍ଣବଦଳ

-

(ବିନୀତଭାବେ) ରାଧେକୃଷ୍ଣ ! ହରେକୃଷ୍ଣ ! କିଛି ଭଗତଙ୍କୁ ଦେବନାହିଁ ?

ଭଜ

-

(ପୁର୍ବବତ୍‌) ଭଗତ - ଶୁଖିଲା ଭଗତ ! ମେଲାବାଡ଼ ପାଇ ପଶି ଆସି ଗାଲୁମାରି ଆହୁରି ମାଗୁଛନ୍ତି - (ହାତମୁଠା ଟେକି) ଦେବି ଯେ ମୁଥେ !

ରତ

-

(ପୂର୍ବବତ୍‌) ମାର , ମାର - ଭଣ୍ଡବୈଷ୍ଣବ ! (ମାରିବାକୁ ହାତ ଉଠାଇବା ।)

ମାଣି

-

(ପୂର୍ବବତ୍‌) କି ମଜା ଭାଙ୍ଗିଦେଲେ ରେ - ଲଗାଅ (ମାରିବାକୁ ଗୋଡ଼ାଇବା-।)

ବୈ,ଦ

-

(ପାଟିକରି) ଆରେ ମାରିପକେଇଲେ ହୋ ! (ପଳାୟନ)

 

 

[ରତନ, ମାଣିକ ଓ ଭଜନାର ବୈଷ୍ଣବଦଳକୁ ଗୋଡ଼ାଇ ପ୍ରସ୍ଥାନ ।]

 

 

ପଟ-ପରିବର୍ତ୍ତନ

 

Image

 

ଦ୍ୱିତୀୟ ଦୃଶ୍ୟ

ବୈଠକଖାନା

[ଭୋଳାନାଥ ତକିଆ ଆଉଜି ଉପବିଷ୍ଟ, ସମ୍ମୁଖରେ ଦୁଇଟା ବୋତଲ, ଗିଲାସ ଓ ଚାଟ ରକ୍ଷିତ]

 

ଭୋଳା

-

(ସ୍ୱର୍ଗତ) ଧର୍ମହେଲା ହିନ୍ଦୁ - ତାକୁ ବଳି ଧର୍ମ ନାହିଁ ! ବାରମାସରେ ତେର ପର୍ବ - ଗୋଟାଏ ନ ଯାଉଣୁ ଆଉ ଗୋଟାଏ । ନିଶ୍ଚିନ୍ତ ବସି ଆମୋଦ କରୁଥାଅ ଆଉ ମଦ ଖାଉଥାଅ । ସ୍ୱର୍ଗରେ ଦେବତା ମାନେ ମଦ ଖାନ୍ତି - ଋଷିମାନେବି ମଧୁପାନ କରୁଥିଲେ, ଏବେ ଛଙ୍କା - ନିରୋଳା - ଖାଣ୍ଟି ମଧୁ- ସୋମରସ ସୁନ୍ଦର ବୋତଲରେ ବିଲାତରୁ ଆସି ଦାଣ୍ଡହାଟରେ ଗଡ଼ଗଡ଼ାଉଛି-ଯେତେ ଖାଇବ ଖାଉଥାଅ, ଯେତେ ମଜାମାରିବ ମାରୁଥାଅ । ଏଥର ଗଣେଶ ପୂଜାକୁ ହଜାରେ ବୋତଲ ଆମଦାନୀ କରିଛି, ଅଣ୍ଟିବ ଯେ ।

 

 

[ଦ୍ୱାରୀର ପ୍ରବେଶ ।]

ଦ୍ୱାରୀ

-

(ହାତଯୋଡ଼ି) ଆଜ୍ଞା ସାନ୍ତେ ! ବାମଦେବ ବାବୁ ଆସିଛନ୍ତି ।

ଭୋଳା

-

(ବିରକ୍ତ ଭାବେ) ଓଃ ! ସେ ଦେବତାକୁ ବାମ ! - ଏତେବେଳେ କାହିଁକି ଦିକ୍‌ କରିବାକୁ ଆସିଲେ ? ନ ଡାକିଲେ ଦାଣ୍ଡରେ କେତେଗୁଡ଼ାଏ ଯାଇ ବକିବେ-। ଉଠା, ଏ ବୋତଲ ଗିଲାସ ଚାଟ ସେ ପାଖରେ ରଖି ଡାକି ଦେ ।

 

 

 

ଦ୍ୱାରୀ

-

(ତଦ୍ବତ୍‌) ହଜୁର ! ଆଃ, କଣ ଗୁଡ଼ାଏ ଆର୍ଯ୍ୟ ମତଧରି ଏ ବାମଦେବର କୌଣସି ପର୍ବନାହିଁ ! ତାର ଖାଲି ହୋମ ଆଉ କାମ - ସୃଷ୍ଟିଟାକୁ ଅଲଗା କରିଦେଲା !

 

 

[ବାମଦେବର ପ୍ରବେଶ]

ବାମ

-

(ଦୁଇହାତ ଟେକି) । ନମସ୍ତେ, ଭୋଳାନାଥବାବୁ ନମସ୍ତେ !

ଭୋଳା

-

(ଦୁଇହାତରେ ନମସ୍କାର କରି) ନମସ୍ତେ ! କୁଆଡ଼େ ଆସିଲ ? ବସ ।

ବାମ

-

(ଉପବେଶନ କରି) ମୁଁ ଗୋଟାଏ ଭଲ ପରାମର୍ଶ ଦେବାକୁ ଆସିଛି - ଶୁଣିବତ କହିବି ।

ଭୋଳା

-

ଭଲ ଯେବେ ଶୁଣିବି ନାହିଁ ? - ତୁମ୍ଭର ଭଲ କି ଆମ୍ଭର ଭଲ ?

ବାମ

-

ଉଭୟ ପକ୍ଷର ଭଲ, ଦେଶର ଭଲ ଆଉ ତୁମ୍ଭର ଭଲ ହେଲେ ଆମ୍ଭର ଭଲ-

ଭୋଳା

-

କି କଥା କିସ ?

ବାମ

-

କଥା ଏହିତା, କର୍ଜଦାମ କରି ତୁମ୍ଭର ସମ୍ପତ୍ତିବାଡ଼ି ସବୁ ଚାଲିଯାଉଛି - ମୁ୍ଁ କହୁଥିଲି ବାକୀ ଯେତକ ଅଛି ଗୋଟାଏ କାରବାରରେ ଲଗାଇଲେ ଦୁଇଚାରି ବର୍ଷ ମଧ୍ୟରେ ଯାହା ଥିଲା ତାର ଚତୁର୍ଗଣ ହୋଇଯିବ।

ଭୋଳା

-

କି କାରବାର ?

ବାମ

-

ମୁଁ ବିଲାତକୁ ଲେଖି ଗୋଟାଏ ସାହେବ ଅଣାଇ ଇଷ୍ଟିମିଟ କରିଛି ଚମଡ଼ାର କାରଖାନା କରିବି । ଦୁଇଲକ୍ଷ ମୂଳଧନ ହେଲେ ଏହିକ୍ଷଣି କାରବାରଟି ଚଳିବ ମୋ କତିରେ ଲକ୍ଷେ ଅଛି ଆଉ ଲକ୍ଷେ ଟଙ୍କା ଦଶଟଙ୍କିଆ ଅଂଶ କରି ଉଠାଇବି । ତୁମ୍ଭେ ଯେବେ ଯବାବ ଦିଅନ୍ତ ମୁଁ ତୁମ୍ଭରି ବାକି ଜମିଦାରୀ ବିକ୍ରି କରି ମହାଜନ ପରିଶୋଧ କରି ଦିଅନ୍ତି, ଯାହା ବଳନ୍ତା ମୋ କାରବାରର ଅଂଶରେ ଲାଗନ୍ତା ।

ଭୋଳା

-

କେତେ ହେବ ବୁଝିଥିଲ ?

ବାମ

-

ମୁଁ ଗୋଟାଏ ମୋଟାମୋଟି ହିସାବ କରି ଦେଖିଛି ତୁମ୍ଭର ଦଶହଜାର ଟଙ୍କା ସଦରଜମାର ଜମିଦାରୀ କେହି ଚାରି କେହି ପାଞ୍ଚ ଗୁଣାରେ ନିଲାମ ହୋଇଗଲା କାହାରି ଟଙ୍କା ପରିଶୋଧ ପାଇପାରିଲା ନାହିଁ । ବାକୀ ଯେ କୋଡ଼ିଏ ହଜାର ଟଙ୍କାର ଜମିଦାରୀ ଅଛି ମୁଁ କୋଡ଼ିଏ ଗୁଣାରେ ବିକ୍ରୀ କରିଦେଇ ମହାଜନଙ୍କୁ ତିନିଲକ୍ଷ ଟଙ୍କା ଶୁଝି ଲକ୍ଷେ କାରବାରରେ ଲଗାନ୍ତି ।

ଭୋଳା

-

ଆଉ ମୁଁ ଖାଇବି କଣ ?- କାରବାରରୁତ ଠୋପଟାକ୍‌ ଲାଭ ମିଳିବ ନାହିଁ ।

ବାମ

-

ମୁଁ ମାସକୁ ମାସ ଦେଢ଼ଶ ଟଙ୍କା ଦେବି ଲେଖି ଦେଉଛି । ବର୍ଷେ ଗଲାଠୁ ଲାଭ ନିଶ୍ଚୟ ହେବ ଆଉ ତେତେବେଳେ ହଜାର ହଜାର ହେଉଁ ହେଉଁ ଲକ୍ଷେ ଲକ୍ଷେ ବର୍ଷକୁ ଲାଭ ଉଠିବ । ମୁଁ ସବୁ ସଜିଲ କରିଛି ଏଠାରୁ ବିଲାତ ପର୍ଯ୍ୟନ୍ତ ଯୋଗାଯିବ - ଜାହାଜରେ ଦିଜାହାଜ ମାଲ ଚାଲିବ ।

ଭୋଳା

-

(ହାତଯୋଡ଼ି) ବାମଦେବ ବାବୁ ମାଫ କରିବେ - ଟେକାପାଣିରେ ମୁଁ ଚଳି ପାରିବି ନାହିଁ । ତୁମ୍ଭେ ସିନା ଆର୍ଯ୍ୟଧର୍ମରେ କଣଗୁଡ଼ାଏ ବେଦର ଦୀକ୍ଷା ପାଇ ପୂଜାପୂଜି ଛାଡ଼ି ଦେଇ ଖାଲି ଟିକିଏ ହୋମରେ କାମ ସାରି ବାଣିଜ୍ୟ ବ୍ୟବସାୟରେ ଲାଗିଛ ଆଉ ଯେଉଁ ଆଡ଼େ ମନ ଦେଉଛ କରି ପକାଉଛ । ଆମ୍ଭେ ଧର୍ମ ଛାଡ଼ି ପାରିବୁ ନାହିଁ - ବାପଦାଦା ଅମଳର ପୂଜାପୂଜି ଛାଡ଼ି ନ ପାରୁଁ । ଏହିତ ଗଣେଶପୂଜା ଆସୁଛି - କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ - ତୁମ୍ଭର ମାସକୁ ଦେଢ଼ଶ ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି । ତୁମ୍ଭେ ଲେଖାପଢ଼ା ଶିଖି ଓକାଲତୀ କରି ସରକାରରୁ ଖେତାବ ପାଇ ଆଜି ତେଲ -କାରଖାନା, କାଲି ଲୁଗା-କାରାଖାନା ଯାହା ଚାହୁଁଛ ତାହା କରି ପକାଉଛ । ଦିନାକେତେ ଚାଷ କରି ନିଜେ ଲଙ୍ଗଳ ଧଇଲ, ଆଜି ପୁଣି ମୋଚିର କାମ କରି ସକାଳୁ ଚମ ଛୁଇଁବାକୁ ଯାଉଛ । ଯାଅ, ଅନ୍ୟଯାଗା ଦେଖ - ଆମର ଧର୍ମ ଥିଲେ ସବୁ ଅଛି ଗୋଟିଏ ଜମିଦାରୀ ଚାଳିଶ ପଟ ଦାମ ହୋଇଛି, ଗୁମାସ୍ତା ପଚାଶ ପଟ ଲଗାଇଛି । ଏହାକୁହିଁ ଦେଣା ନିଅଣ୍ଟ – ମୋ’ ପାଇଁ ଭାବିବ ନାହିଁ । ତୁମ୍ଭେ ତେଲୀ, ତାମ୍ବୁଳୀ,ଚଷା, ବାଉରି ଯାହାଙ୍କୁ ଘେନି କାରଖାନା ସବୁ କରୁଛ ତାଙ୍କପାଇଁ ଭାବୁଥାଅ ।

ବାମ

-

ମୁଁ ତ ତାଙ୍କରିପାଇଁ ଭାବୁଛି ଆଉ ଈଶ୍ୱରଙ୍କୁ ଡାକୁଛି । ଯେଉଁମାନେ ଦୁଃଖୀ, ଯେଉଁମାନେ ପରିଶ୍ରମ କରିଥାନ୍ତି ସେହି ଚଷାଭୁଷା କାରିଗର ସମସ୍ତଙ୍କୁ ଯେବେ ଭଲକାମରେ ଲଗାଇବି ତେବେ ଦେଶର ଦଶା ଫେରିଯିବ । ବାଣିଜ୍ୟେ ବସତେ ଲକ୍ଷ୍ମୀଃ । ତୁମ୍ଭେ ତ ଦେହଯାକ ପୂଜାପୂଜି କରି ଉଡ଼ାଇଲ- କେତେ କାହାର ଉନ୍ନତି କଲଣି ?

ଭୋଳା

 

ହେଉ ଆସ, ଧର୍ମନିନ୍ଦା କରନାହିଁ କି କଥା ବଢ଼ାଅନାହିଁ - ପାଠଟା ଆଉ ଯାଗାରେ ପକାଇବ ।- ମୋର ବହୁତ କାମ ଅଛି, (ହାତ ଉଠାଇ ନମସ୍କାର କରି) ନମସ୍ତେ ।

 

 

 

ବାମ

-

(ହାତ ଉଠାଇ ନମସ୍କାର କରି) ନମସ୍ତେ ! ଓଷଧ ରୋଗିକି ଭଲ ଲାଗେନାହିଁ ହେଉ, ନ ଖାଇଲେ ପଛକୁ ବୁଝିବ । ତୁମ୍ଭର ଗୁମାସ୍ତା ଯେମନ୍ତ ପେଟପାଇଁ ପରାମର୍ଶଦାତା ମୋ’ ସାହେବ ରତ୍ନଯୋଡ଼ିକ ବି ତେମନ୍ତ (ପ୍ରସ୍ଥାନ ।)

ଭୋଳା

-

(ସଜାଡ଼ି ହୋଇ ବସି) ପାପ ଗଲା ! ମୋ’ ସାହେବଙ୍କର ଆଜି ଉଛୁର କାହିଁକି -ସନ୍ଧ୍ୟା ସମୟରୁ ଆସନ୍ତି, ରାତି ଯେ ଘଡ଼ିଏ ହେଲାଣି !

 

 

[ରତନ ଓ ମଣିକର ଭଜନାକୁ ଧରି ପ୍ରବେଶ ।]

 

 

କି ରତନମାଣିକ ! ଭଜନାକୁ ଧରି ଆଣୁଛ ଯେ, କଣ କରିଛ ?

ରତ

-

(ଭଜନାକୁ ଓଲଟାଇ ଦେଖାଇବା ।)

ଭୋଳା

-

ଆରେ କୋଟଟା ଓଲଟା ପିନ୍ଧିଛୁ ? (ଉଚ୍ଚହାସ୍ୟ)

ରତ

-

ମୁଁ ଯେତେ କହିଲି ଆଗଆଡ଼େ ବୋତାମ ଲଗା ମାନିଲା ନାହିଁ ।

ଭଜ

-

(ବୁଲିପଡ଼ି ହାତଯୋଡ଼ି) ହଜୁର - ସାନ୍ତେ -ବାବୁଭାୟାମାନେ ଆଗଆଡ଼େ ଲଗାନ୍ତି ବୋଲି ମୁ ବି ତା’ କରିବି ! (ସ୍ୱରଭଙ୍ଗିକ୍ରମେ) ଏବେ -ଆ -ଦ - ବୀ ମୁଁ କେବେ କରିବି ନାହିଁ ! -ମୋର କି ବୁଦ୍ଧି ନାହିଁ ?

ରତ

-

ବରାବର ଗଣେଶଙ୍କ ବୃଦ୍ଧି !

ଭୋଳା

-

ବାଃ ! ବାଃ ! ନୋହିଲେ କି ଚୌଧୁରି ଭୋଳାନାଥ ସାମନ୍ତରାୟଙ୍କ ପ୍ରମୋଦଉଦ୍ୟାନର ମାଳୀ ! (ରତନକୁ ଅନାଇ) ଟିକିଏ ହୋଇଛି ପରା ?

 

 

 

ମାଣି

-

ଟିକିଏ କାହିଁକି,ମୁନ୍ଦିଏ ହୋଇଛି ! ବଜାରରୁ ସ୍ୱଦେଶୀ ବୋତଲେ କିଣି ଖାଇ ଦେଇଛି - ଆଉ କଣ ତାଠି ପଇସା ଅଛି କି !

ଭୋଳା

-

(ନାକ ଉଠାଇ) ଇସ୍‌। ସ୍ୱଦେଶୀ - ବଜାରୀ ମାଲଗୁଡ଼ାଏ ଖାଇଲା ! ଆଚ୍ଛା, ତାକୁ ବସାଅ, ବିଲାତୀ ମାଲ ଦେଇ ଶୋଧ କର । ଏଣିକି ନିତି ଗୋଟାଏ ବୋତଲ ବଗିଚାକୁ ପଠାଇ ଦେବ । ବିଲାତୀପାଣି ଯେ ନ ପିଏ ସେ ଆମ୍ଭର ମାଳୀ ହେବାର ଯୋଗ୍ୟ ନୁହେଁ । ଦ୍ୱାରି -

ନେପଥ୍ୟେ

-

ହଜୁର ।

ଭଜ

-

(ଭଙ୍ଗସ୍ୱରେ) ହଜୁର ମା ବାପ -ବଳିଠାରୁ ବଳି ଦାତା -ଦାନଶୌଣ୍ଡ !

 

 

(ଏକ କୋଣରେ ବସିବା ।)

ଭୋଳା

-

ସଂସ୍କୃତ କହିଲା !

ରତ

-

ସେ ପରା ଗୁରୁଟ୍ରେନିଂରେ ପଢ଼ୁଥିଲା ।

ଭଜ

-

(ହାତ ଯୋଡ଼ି) ହଜୁର, ସବୁ ଭୁଲି ସାଆନ୍ତଙ୍କଦ୍ୱାରେ ଭିକାରୀ ।

 

 

[ଦ୍ୱାରିର ପ୍ରବେଶ ।]

ଭୋଳା

-

ବୋତଲ, ଗିଲାସ ଆଉ ଚାଟ୍‌ଘେନି ଆ ।

ଦ୍ୱାରୀ

-

(ବୋତଲ, ଗିଲାସ ଆଉ ଚାଟ୍‌ଆଣି ସମ୍ମୁଖେ ରଖିଦେଇ ପ୍ରସ୍ଥିତ ।

ଭୋଳା

-

(ଖାଇସାରି ରତନ ଓ ମାଣିକକୁ ଏକ ୨ଗ୍ଲାସ ଦେବା ।)

ରତ

-

(ଖାଇସାରି ଏକ ଗ୍ଲାସ ଭଜନାକୁ ଦେବା ।)

ମାଣି

-

ତଟକା ଚଣାଚୁରରର୍‌! (ରେକାବିରୁ ଚାଟ ନେଇ ଭୋଳାନାଥ ଓ ରତନକୁ ବାଣ୍ଟି ଦେଇ ନିଜେ ଖାଇବା ।)

ଭଜ

-

ଈଶ୍ୱର ସାଆନ୍ତଙ୍କୁ ଏହିପରି ବସାଇ ରଖନ୍ତୁ । (ମଦଖାଇ ଗ୍ଲାସ ହାତରେ ଧରି ପୁର୍ବ ରାଗରେ)

 

 

ବାବୁଭୟା ସଙ୍ଗ କରିବୁ ଛୋଟଲୋକ ପାଖକୁ ଯା ନା ।

 

 

ଲାଲ ବିଲାତୀ ଛାଡ଼ି ଦେଶୀ ଚାଖ ନା ରେ ।

 

 

ଲାଲ ଗୁଲାଲ ବୋତଲ ତୁ ଭଜ ବାରେ ।

 

 

ଆଉ ରାଧାକୃଷ୍ଣ ନାମ ଭଜ ନା ରେ ।

ମାଣି

-

ସାବାସ୍‌ ! ନୋହିଲେ କି ଭଜନାନନ୍ଦ ଲେଙ୍କା - ଯେ ସେ ଲଙ୍କା ନୁହେଁ ବିଲଙ୍କା !

ଭୋଳା

-

ବାଃ ରେ ! ମାଳୀ ବେଶ୍‌ଗାଇଲା । - ରସିକଟିଏ ଏକା !

ଭଜ

-

ସାନ୍ତେ, ଭଜନା ପରି ସରସ ମାଳୀ ମିଳିବ ନାହିଁ -ଏହିପରି ମଜଲିସ୍‌ ଜାରୀଥାଉ, ଗଣେଶ ଠାକୁର ହାତିଶୁଣ୍ଢରେ ମଦ ଢାଳନ୍ତୁ !

 

 

[ହରିର ପ୍ରବେଶ]

ରତ

-

କିଏ ?

ହରି

-

(ହାତଯୋଡ଼ି ଦଣ୍ଡବତ କରି) ମୁଁ ତ ଓସ୍ତାଦ - ସଙ୍ଗୀତ ପିଲା ଆଣଛି । ହୁକୁମ ହେଲେ ଗଣେଶପୂଜାକୁ ଆସନ୍ତି ।

ମାଣି

-

ଆଜ୍ଞା, ୟେ ଆମ ଇଲାକାରେ ଆସି ଯୋଡ଼ିଏ ପିଲା ତାଲିମ କରିଛନ୍ତି ।

ଭୋଳା

-

ଆମ ଇଲାକାରେ ? ଗୋଟି ପୁଅ ନାଚ ?

ରତ

-

ଆଜ୍ଞା ୟେ ଗୋଟିପୁଅ ନୁହେଁ -ଯୋଡ଼ିପୁଅ !

ଭୋଳା

-

(ଉଚ୍ଚ ହାସ୍ୟକରି) ଯୋଡ଼ିପୁଅ ! ଆଚ୍ଛା, ପିଲା ଆଣିଛ ? - ଦେଖାଅତ କେମନ୍ତ ଶିଖିଛନ୍ତି ।

ହରି

-

ଆଜ୍ଞା ସାନ୍ତେ, ମୁଁ ପିଲାଙ୍କୁ ଡାକିଆଣେଁ । (ପ୍ରସ୍ଥାନ ।)

ଭୋଳା

-

ଦେଖ ରତନମାଣିକ,ୟେ ଓଡ଼ିଆଗୁଡ଼ାକ କେବେ ମଣିଷ ହେବେ ? ବାଇନାଚ ଉଠିଲାତ ପଳାଇଲେ - ତାଙ୍କପାଇଁ ସଙ୍ଗୀତପିଲା ନ ରଖିଲେ ଯାତ୍ରା ଭଣ୍ଡୋର ।

ରତ

-

ଆଜ୍ଞା ସେ ସାମଲିୟା ଫାମଲିଆ ବୁଝି ପାରନ୍ତି ନାହିଁ ।

ମାଣି

-

ସୟାଁ ଶୁଣିଲେ କୟାଁ ଖାଇଲାପରି ହୁଅନ୍ତି ।

ଭୋଳା

-

କାହିଁକି ? ଆମ ବାଈତ ଓଡ଼ିଆ ଗୀତ ବେଶ ଗାନ୍ତି ।

ଭଜ

-

ତାଙ୍କୁ ମାଇକିନିଆ ଗନ୍ଧାଏ !

ଭୋଳା

-

ହଁ -ୟେ ଠିକ କହିଲା -ଭଜନା ଭାରୀ ବୁଦ୍ଧିମାନ ! -ଆଉ ଆମର ବାମଦେବ ବାବୁତ ବାଈ ନାଁ ଶୁଣିଲେ ମାଡ଼ିଉଠି ପଳାଇବେ - ତାଙ୍କୁ ବାଈ କି ଗୋଟିପୁଅ କିଛି ରୁଚେ ନାହିଁ ।

ରତ

-

ସେ ବି ମଣିଷ ନୁହନ୍ତି -ଖାଲି ପଇସା କରିବା କଳ !

ମାଣି

-

ସେଇଥିରେ କଲବଲ !

 

 

[ଯନ୍ତ୍ର ଧରି ପାଳିଆ ଓ ସୁସଜ୍ଜିତ ସଂଙ୍ଗୀତ ପିଲାଦ୍ୱୟ ସହିତ ହରିର ପ୍ରବେଶ-।]

ଭୋଳା

-

ଆରମ୍ଭ କର ।

ହରି

-

(ବେହେଲା ମିଶାଇ ବଜାଇବା ।)

ପାଳିଆଏ

-

(ମାଦଳଆଦି ଠିକକରି ବଜାଇବା ।)

ପିଲାଦ୍ୱୟ

-

(କିଞ୍ଚିତ୍‌କାଳ ନାଚିସାରି ଗୀତ)

 

 

ରାଗ ପୂରବୀ । ତାଳ ଝୁଲା ।

 

 

ଗୁମାନ କରି ବସିଲା କି ସତେ କିଶୋରୀ ।

 

 

ନବନାଗରୀ ବିମ୍ବ- ଅଧରୀ । ଘୋଷା ।

 

 

କେଳି ବିନା ଯାକୁ ନ ରୁଚେ ଆନ ଘୁଞ୍ଚି ବସୁଛି ସେ କରି କି ଟାଣ,

 

 

ହାସ- ବିକାଶ ହୋଇଛି ନାଶ ପଙ୍କଜ -ନୟନୁଁ ବହେ ଗୋ ବାରି ।୧।

 

 

ଚନ୍ଦ୍ରମାବଦନ ଦିଶେ ମଳିନ-ଦୁଃଖ ରାହୁ କଲା ଗ୍ରାସ ଆସି କେସନ,

 

 

ମଳିନ କୁଞ୍ଜ ମଳିନ ମନ, ପୋତିଛି ମଥା ମୁଦି ନୟନ,

 

 

ନ ଶୁଣେ ବାଣୀ ଯେତେ ବଖାଣି - ସବୁକଥା ସେ କି ଦେଲା ପାସୋରି ।୨।

 

 

ଗଳା ମୋତିମାଳ ପଡ଼ିଛି ଖସି, ଅଯତନବାସେ ଅଛି କାହିଁକି ବସି,

 

 

ପାଶେ ଅଛି ମୁଁ ନ ଦେଖେ ଚାହିଁ -ଭାଳୁଛି ଅବା ଯାଇଛି କାହିଁ,

 

 

ଏଡ଼ିକି ଅବୁଝା ବାଳୁତ ପରାୟେ - ଦେଖ ଦେଖ ତୋର କିଙ୍କର ହରି ।୩।

ରତ

 

ଭଲ ବୋଲିଛି ! ସାଆନ୍ତେ ଏ ଆମ ମଜଲିସକୁ ସାଜିବେ ।

ଭୋଳା

-

ଠିକ୍‌ କହିଛ । ମୁଁ ମନେ କରିଥିଲି ନୁଆ ଶିଖାଳି ଭଲ ହେବେ ନାହିଁ ପରା । ଯାହାହେଉ, ଏମାନେ ଚୌଧୁରିଙ୍କ ନାମ ରଖିବେ ।

ମାଣି

-

ସେଥିରେ ସନ୍ଦେହ ନାହିଁ - ଯାଦୃଶୀ ଦେବତା ଯସ୍ୟ ତଥା ଭୁଷଣବାହନ ।

ରତ

-

ଆଜ୍ଞା ଏ ଦିନାକେତେ ଟୋଲରେ ବସିଥିଲେ ।

ଭୋଳା

-

ତା ନୋହିଲେ ସଂସ୍କୃତ ବାହାରନ୍ତା କି ?

ମାଣି

-

ଆଜ୍ଞା ସେ ପଢ଼ା ଏ ପ୍ରସାଦରୁ ଟୋଳ ଖାଇଲାଣି । (ନାଟଦଳକୁ ଅନାଇ) ଆସ ପ୍ରସାଦ ପାଅ । (ଗିଲାସରେ ମଦ ଢାଳି ବଢ଼ାଇ ଦେବା ।)

ନାଟଦଳ

-

(ମଦ୍ୟପାନ)

 

 

[ପିଆଦାର ପ୍ରବେଶ]

ପିଆ

-

ହଜୁର ଜୁହାର ! (ହାତଯୋଡ଼ି ଦଣ୍ଡବତ କରିବା ।)

ରତ

-

କିଏ ?

ପିଆ

-

ଆଜ୍ଞା ମୁଁ ଅଦାଲତର ପିଆଦା । ମହାଜନ ବାକୀ ଟଙ୍କା ସକାଶେ ଉଆରଣ୍ଟ ପ୍ରାର୍ଥନା କରିବାକୁ ମୁଁ ନୋଟିସ ନେଇ ଆସିଛି ।

ଭୋଳା

-

କେଉଁ ମହାଜନ ?

ପିଆ

-

ପ୍ରସାଦୀରାମ ଭଗତ ।

ଭୋଳା

-

(ଉଚ୍ଚହାସ୍ୟ କରି) ପ୍ରସାଦୀ ଭଗତ ! ଅଦାଲତକୁ ଆସି ରାମ ଲଗାଇ ଆମକୁ ରାମାନନ୍ଦି କାଟିବାକୁ ବସିଛି -

ମାଣି

-

ଗୋଟାଏ ଓକିଲ ଦେଇ ଟଙ୍କା ଅସୁଲ ଦେଇଥିବାର ଆପତ୍ତି କଲେ ଗଣେଶ ପୂଜା କାହିଁକି ଛମାସ ପାର । ସେ ଆମକୁ ଚିତା କାଟିବ, କି ଆମେ ତାକୁ ଚିତା କାଟିବା, ଦେଖିବା ଦେଖି ।

ଭୋଳା

-

ଦିଅ ପିଆଦାକୁ ଖୁସିକରି ଦିଅ ।

ରତ

-

ଆରେ ତୁମ୍ଭେ ତ ପୁରୁଣାପିଆଦା - ଗୁଞ୍ଜି ଗୁଞ୍ଜି ଅଣ୍ଟା ଭାଙ୍ଗି ଗଲାଣି ।

ମାଣି

-

ପ୍ରସାଦ ପାଇଲେ ସଳଖ ହୋଇଯିବ - ନିଅ (ଗ୍ଲାସରେ ମଦ ଢାଳି ବଢ଼ାଇଦେବା ।)

ପିଆ

-

ହଜୁର ଏଇଠିତ ପ୍ରସାଦ ମିଳେ - ଆଉ ସବୁ ନାଁକୁ ବାବୁ (ମଦ୍ୟପାନ ।)

 

 

[ଲକ୍ଷଣର ପ୍ରବେଶ]

ଲକ୍ଷ

-

(ହାତ ଉଠାଇ) ଦଣ୍ଡବତ ହଜୁର ! (ଦଣ୍ଡବତ କରଣ ।)

ଭୋଳା

-

କିଏ ? ଲକ୍ଷଣ, କୁଆଡ଼େ ?

ଲକ୍ଷ

-

ହଜୁର ଗତବର୍ଷ ଦୁଇଶଟଙ୍କାର ସାଜ ଦେଇଥିଲି, ଏବର୍ଷ ସେହିପରି ଦେବି କି କଣ ପଚାରିବାକୁ ଆସିଲି ।

ଭୋଳା

-

ଦେଖ, ଏ ବର୍ଷ ଚାଳିଶ ଟଙ୍କାର ସାଜଦେବୁ - ଯେମନ୍ତ ତେଲଙ୍ଗା ହାରିଯାଇ ଆମର ହେବ ଫାଷ୍ଟ ନମ୍ବର ।

ରତ

-

ଯେମନ୍ତ ଚୌଧୁରିଙ୍କ ନାମ ଚାରିଆଡ଼େ ବାଜିଯିବ ।

ଲକ୍ଷ

-

ହଜୁରଙ୍କପରି ବଡ଼ଲୋକ ଆଉ କିଏ ଅଛି ? - ଖୁବ ଚକ୍‌ଚକିଆ କରିଦେବି - ବିଲାତିକାମକୁ ବାଜି ମାରିବ ।

ମାଣି

-

ବସ, ତୋ ହାତରେ ସବୁକଥା - ପ୍ରସାଦ ପା । (ଗ୍ଲାସରେ ମଦ ଢାଳି ବଢ଼ାଇ ଦେବା) ।

ଲକ୍ଷ

-

ବିଲାତୀ ପାଣି ଦେଶ ପବିତ୍ର କରିଦେଲା ! ଗଣେଶ ଠାକୁର ପଶ୍ଚିମରୁ ଆସିଥିଲେ, ତାଙ୍କ ଘର ବିଲାତରେ । (ମଦ୍ୟପାନ)

 

 

[ପାଣ୍ଡବର ପ୍ରବେଶ]

ପାଣ୍ଡ

-

(ମୁଣ୍ଡ ନୁଆଇଁ ହାତଟେକି) ଦଣ୍ଡବତ ହଜୁର !

ଭୋଳା

-

କି ପାଣ୍ଡବ ସାହୁ ?

ପାଣ୍ଡ

-

ହଜୁର ଗଲା ଅଙ୍କ ଅଢ଼େଇଶ ଟଙ୍କାର ସନ୍ଦେଶ ମିଠେଇ ହୋଇଥିଲା । ଏବର୍ଷ ତେତିକି ହେବ କି ବୁଝିବାବୁ ଆସିଲି ।

ଭୋଳା

-

ଏବର୍ଷ ପାଞ୍ଚଶଟଙ୍କାର ହେବ ।

ପିଆ

-

ବଡ଼ଲୋକଙ୍କ ଘର ବର୍ଷକୁ ବର୍ଷ ବଢ଼ିବ ନା !

ରତ

-

ଯଥାର୍ଥ କହିଛ ।

ଲକ୍ଷ

-

ସେ ଅଦାଲତରେ ଚାକିରି କରନ୍ତି - ତାଙ୍କଠାରୁ କହିଲାବାଲା କିଏ ଅଛି !

ପାଣ୍ତ

-

ହେଉଆଜ୍ଞା, ଏଥର ନୂଆ ନୂଆ ରକମ ଭଲ ଭଲ ବନାଇ ଦେବି ।

ମାଣି

-

ଟିକିଏ ପ୍ରସାଦ ପା -ତୋ ସନ୍ଦେଶ ୟା କତିରେ ନୁହେଁ । (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)

ପାଣ୍ଡ

-

ସନ୍ଦେଶଟା ପରା ଦେଶୀ । [ମଦ୍ୟପାନ] କେଉଁ ଦିନ ପ୍ରସାଦ ନ ପାଉଛି ଯେ -ଏଠାକୁ ଅଇଲେ ହେଲା -ଏତେ ବଡ଼ ବାବୁ ଏ ଅଞ୍ଚଳରେ ନାହିଁ ।

 

 

[ସାଧୁ ପଣ୍ଡାର ପ୍ରବେଶ]

ଭୋଳା

-

କି ପଣ୍ଡାଏ କୁଆଡ଼େ ? - ଦଣ୍ଡବତ (ହାତ ଉଠାଇ ଦଣ୍ଡବତ୍‌କରଣ) ।

ସାଧୁ

-

(ଦୁଇ ହାତରେ ଅଞ୍ଜଳି କରି) ସର୍ବାରିଷ୍ଟ ଶୁଭମସ୍ତୁ - ଦୀର୍ଘାୟୂରସ୍ତୁ ! ଆରବର୍ଷ ଗଣେଶପୂଜାକୁ ପାଞ୍ଚଶ ଟଙ୍କାର ବୀଲାତୀ ଲୁଗା ହୋଇଥିଲା, ଏ ବର୍ଷ ସେହିପରି ଆସିବ ?

ଭୋଳା

-

ଏବର୍ଷ ହଜାର ଟଙ୍କାର ଭଲ ଭଲ ଲୁଗା ଦେବ ।

ରତ

-

ଏବର୍ଷ ଡବଲ ।

ସାଧୁ

-

ଆରବର୍ଷର ଦାମତ ସବୁ ମିଳି ନାହିଁ ।

ମାଣି

-

ଟଙ୍କାକ ମାଲ ଦି ଟଙ୍କାରେ ଦେଉଛ -ବର୍ଷକ ଟଙ୍କା ଦୁଇବର୍ଷରେ ନ ନେବ କାହିଁକି ?

ସାଧୁ

-

(କାନରେ ହାତଦେଇ) ଆରେ ରାମ ରାମ ! ଆମଠି ମିଛ ନାହିଁ - ପଇତା ଘେନି ମିଛ କଥା କହିବା ?

ମାଣି

-

ପଈତା ଘେନି ଯେ ମଦ ପାର କରୁଛ ? ଲୁଗା ବିକୁଛ ?

ସାଧୁ

-

ସେଟା ବିଦେଶୀ - ପଇତାରେ ସବୁପାର । ପଇତାଟା ହେଲା ହଜମୀ ଗୁଳା-

ମାଣି

-

ଭଲ ଭଲ, ଉତ୍ତମ ବିଦ୍ୟା ଅର୍ଜିଛ ! ନିଅ ପ୍ରସାଦ ପାଅ (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)

ସାଧୁ

-

ଭୋଳାନାଥଙ୍କ ପ୍ରସାଦ ଛାଡ଼ିବାର ନୁହେଁ । (ମଦ୍ୟପାନ ।)

 

 

[ଘନ ସାହୁର ପ୍ରବେଶ]

ଘନ

-

ଦଣ୍ଡବତ ହଜୁର । (ମସ୍ତକ ନୁଆଇ ଦଣ୍ଡବତ୍‌କରଣ ।)

ଭୋଳା

-

କିରେ ତେଲି, କେଉଁ ଆଡ଼େ ?

ଘନ

-

ହଜୁର ଗେ ଦସ୍ତା ଷାଠିଏ ଟଙ୍କାର ତେଲ ଖର୍ଚ୍ଚ ହୋଇଥିଲା - ଏବର୍ଷ କେବେ ହେବ ? ମହାରଣା କହୁଥିଲା ପଚାଶଟା ବନୋଟି ହେବ - ଗୋଦସ୍ତା ପଚିଶଟା ହୋଇଥିଲା ।

ଭୋଳା

-

ଏ ବର୍ଷ ବି ଶହେ ଟଙ୍କାର ତେଲ ଦେବୁ

ରତ

-

ଏ ବର୍ଷ ସବୁ ଡବଲ - ବିଲାତୀ ପାଣି ଡବଲ, ତେଲ ଡବଲ ହେବ ନାହିଁ ।

ଘନ

-

ହେଉ ଆଜ୍ଞା ! ନୋହିଲେ କି ବଡ଼ଲୋକ । ଲମ୍ବ ରୋଷନିଟା ଠାକୁରଙ୍କ ଆଗରେ ନ ଗଲେ ଲୋକେ କହିବେ କିସ ?

ମାଣି

-

ଠିକ ! ଏବର୍ଷ ଡବଲ ପ୍ରସାଦ - ନେ ପ୍ରସାଦ ପା (ଗ୍ଲାସରେ ମଦଢାଳି ବଢ଼ାଇ ଦେବା)

 

 

 

ଘନ

-

ତେଲିମାନେ ଅନେକ ସଭ୍ୟ ହୋଇ ପ୍ରସାଦ ପାଇଲେଣି । (ମଦ୍ୟପାନ)

 

 

[ଚୈତନ୍ୟ ଦେର ପ୍ରବେଶ]

ଚୈତ

-

ଦଣ୍ଡବତ ସାନ୍ତେ ! (ହାତଯୋଡ଼ି ଦଣ୍ଡବତ କରଣ ।)

ଭୋଳା

-

କି, ଚୈତନ କେଉଁ ଆଡ଼େ ଆସିଲ ?

ଚୈତ

-

ସାନ୍ତେ ଗେଲ ବଛର ଏକଲାଖ ପାନ ଉଡ଼ିଗଲ - ଏ ବଛର କେତେ ଲାଖ ଦିବ । ସାଙ୍ଗରାନ୍‌ ଗେଲାଙ୍କେ ମିଥ୍ୟାକେ ଅନେକ ଗାଲି ଦିଲ -ଆମର କସୁର କି ? - ଯା ବରାତ୍‌ଛିଲ ଦିନୁ ।

ଭୋଳା

-

ଏ ବର୍ଷ ଦିଲାଖ ଦେବୁ ।

ଚୈତ

-

ହଁ ୟେ ଯେ ଲାଖେ କଥାର ଗୋଟାଏ ।

ରତ

-

ଆଉ ଏଥର ସାଙ୍ଗ୍‌କେଉ କିଛି କହିବେ ନା - ଗୋଟାଏ ମାଗିଲେ ଦିଟା ଦିବୁ-

ମାଣି

-

ନେ ପ୍ରସାଦ ନେ - କେମତା ଲାଗୁଛେ ଦେଖ । (ଗ୍ଲାସରେ ମଦଢାଳି ବଢ଼ାଇ ଦେବା ।)

ଚୈତ

-

ତୁମେ ପ୍ରସାଦ ନା ଖାୟାଁ ଛାଡ଼ିବେ ? (ମଦ୍ୟପାନ ।)

 

 

[ନେତୀ,ପେତୀ,ମଦନ ଓ ପଦନର ପ୍ରବେଶ]

ରତ

-

ଏବେ ମଜଲିସ ଗୁଲଜାର ! ଅପ୍‌ସରା ନ ହେଲେ କି ଦେବସଭା ମାନେ !

ମାଣି

-

ପରୀ ନ ଥିଲେ ଆମ ଭଳି ଦେବତାମାନେ ମଲାପରି ।

ଭୋଳା

-

ବସ, ବସ, ଏତେ ଉଛୁର କାହିଁକି ?

 

 

ହୁକୁମ ହୋଇଥିଲା ବଗିଚାକୁ ଯିବାପାଇଁ - ସବୁ ଧନ୍ଦା ସାରି ଆସିଲୁଁ (ଉପବେଶନ ।)

 

 

ପେତୀ,ମଦ ଓ ପଦ ।- (ଉପବେଶନ ।)

ମାଣି

-

ଆଉ ଆମେ ଏଠି ଧନ୍ଦି ହେଉଛୁଁ । ନିଅ ପ୍ରସାଦ ପାଅ - ମଧୁବାତା ଋତାୟତେ - ମଧୁ, ମଧୁ, ମଧୁ । (ଗ୍ଲାସରେ ମଦଢାଳି ବଢ଼ାଇଦେବା ।)

ଭୋଳା

-

ଭଲାବେଳେ ସଂସ୍କୃତ ଝାଡ଼ିଲ !

ମାଣ

-

ନୋହିଲେ ପାଠଟା ମାଟି ହୋଇଯାନ୍ତା ଯେ । - ସେ ବେଦମନ୍ତ୍ର !

ନେତୀ ଓ ପେତୀ

-

(ମଦ୍ୟପାନ ।)

ମଦ ଓ ନଦ

-

(ମଦ୍ୟପାନ କରି ଯନ୍ତ୍ର ସଜାଡ଼ି ବଜାଇବା) ।

ନେତୀ ଓ ପେତୀ

-

(ଉଠି ନୃତ୍ୟାନ୍ତେ ଗୀତ)

 

 

ରାଗିଣୀ ଝିଝିଁ ଟ । ତାଳ ଖେମଟା ।

 

 

ପ୍ରୀତି-ପଥ କେସନ ସେ ମିଠା ।

 

 

କେଡ଼େ ସଜରେ ଲଗାଇ ଅଠା । ଘୋଷା ।

 

 

ସୁଖ- ସ୍ୱପ୍ନେ ମୋହି ସହଜେ ଦିଅଇ

 

 

ହାତେ ଇନ୍ଦ୍ରପଦ ବଡ଼ ମିଠା । ୧।

 

 

ମଧୁକର ମଧୁ ସୁଧାଠାରୁ ସ୍ୱାଦୁ

 

 

ଯେତେ ଚାଖୁଥିବି ତେତେ ମିଠା । ୨ ।

 

 

ଯେତିକି ଛାଡ଼ିବ ତେତିକି ଲାଖିବ

 

 

ଭିଡ଼ି ଭାଳିବାର ଭାରୀ ମିଠା । ୩ ।

 

 

[ମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀର ପ୍ରବେଶ]

ପ୍ରେମା

-

ଜୟରାଧେ ! ରାଧେକୃଷ୍ଣ ! ନିତ୍ୟାନନ୍ଦ ଗୌରାଙ୍ଗର ଜୟ !

ଭୋଳା

-

(ମୁଣ୍ଡ ନୁଆଇଁ) ଦଣ୍ଡବତ ମହନ୍ତଜୀ ! ଆପଣ କେଉଁ ଆଡ଼େ ଏତେ ବେଳେ ବିଜେ ହେଲେ ?

ପ୍ରେମା

-

(ହାତ ଉଠାଇ) ଶ୍ରୀକୃଷ୍ଣଚୈତନ୍ୟ ପ୍ରେମପ୍ରାପ୍ତିରସ୍ତୁ !

ରତ

-

ଆପଣ ଖବର ଦେଲେ ନାହିଁ ? ଏଠି (ବୋତଲଦେଖାଇ) ବିଲାତୀ ପାଣି (ବାଈଙ୍କି ଦେଖାଇ) ବାଈ ନାଟର ପୂଜା ହେଉଛି । -

ମାଣି

-

ଗୋସାଇଁଙ୍କ ପୂଜା ହେବ କିପରି ?

ପ୍ରେମା

-

ମୋର ଏଇଥିରେ ପୂଜା ! ବିଲାତୀ ଜିନିଷକୁ କେହି ଲାଗେ ନାହିଁ - ବିଲାତୀ- ବିଚାର ଯୋଗେ ମାଟି ପର୍ଯ୍ୟନ୍ତ ଭଲ ତ ପାଣି ଆହୁରି ପବିତ୍ର ! ଆଉ ବାଈ - ବେଶ୍ୟାଦ୍ୱାର ମୃତ୍ତିକାଜଳେନ ନ ହେଲେ ଠାକୁରାଣୀ ପୂଜା ହୁଏ ନାହିଁ, ତେଣୁ ବାଈ ଅତି ପୂଜ୍ୟା । ସ୍ୱୟଂ ଭଗବାନ କହିଛନ୍ତି - ନାହଂ ବସାମି ବୈକୁଣ୍ଠେ ଯୋଗାନାଂ ନିକଟେ ନଚମଦଭକ୍ତା ନୃତ୍ୟଗାୟନ୍ତେ ତତ୍ର ତିଷ୍ଠାମି ନାରଦ । - ଯେଉଁଠାରେ ଭକ୍ତମାନଙ୍କର ମଦ ଭୋଜନ ଓ ନାଚଗାନ ହୁଏ ସେହିଠାରେ ଭଗବାନ ବସି ପବିତ୍ର କରିଦିଅନ୍ତି । ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମନୁମସ୍କୁରୁ - ମଦରେ ମନ ରଖିବ, ମଦକୁ ଭକ୍ତି କରିବ, ମଦରେ ଯଜ୍ଞ କରିବ ଓ ମଦକୁ ନମସ୍କାର କରିବ । ଏସ୍ଥାନ ବୈକୁଣ୍ଠକୁ ବଳିଛି ।

ରତ

-

ବାଃ ବାଃ - ଆପଣ ଏକା ଭାବଗ୍ରାହିଙ୍କ ଭାବ ଟାଣି ନେଇଛନ୍ତି ।

ଭଜ

-

ବିଲାତୀ ଶାସ୍ତ୍ର ବୋମ୍ବାଇରୁ ଟୀକା ହୋଇ ଆସିଛି - ପଣ୍ଡିତେ ଭାରୀ ଟାଣ ।

ଭୋଳା

-

ଆପଣ ଭାରୀ ପ୍ରେମୀ - ବସନ୍ତୁ ବସନ୍ତୁ ।

ମାଣି

-

ପ୍ରସାଦ ନିଅନ୍ତୁ ( ଗ୍ଲାସରେ ମଦ ଢାଳି ବଢ଼ାଇଦେବା ।)

ପ୍ରେମା

-

(ଉପବେଶନ କରି) ଭୋଳାନାଥଙ୍କ ପ୍ରସାଦ ସର୍ବଦା ଗ୍ରହଣୀୟ । (ମଦ୍ୟପାନ ପୂର୍ବକ ଆନନ୍ଦରେ) ଆଉ ଗୋଟାଏ ଗୀତ ହେଉ ।

ରତ

-

ଗୋସାଇଁ ପ୍ରସାଦ ପାଇଲେ - ଆଉ ଥରେ ସମସ୍ତେ ପାଆନ୍ତୁ ।

ମାଣି

-

ହଁ ହଁ - ଏଥର ପ୍ରସାଦ ପରସ୍ପର ଢଳାଢଳି କରି ଖାଇବା । (ଅନ୍ୟ ବୋତଲର ମଦ ଗ୍ଲାସରେ ଢାଳି ଭୋଳାନାଥକୁ ଦେବା ।)

ଭୋଳା

-

(ମଦ୍ୟ ପାନକରି ଗ୍ଲାସରେ ମଦ ଢାଳି ମାଣିକକୁ ଦେବା ।)

ଅନ୍ୟ ସମସ୍ତେ

-

(ପରସ୍ପର ଢଳାଢଳି କରି ମଦ୍ୟପାନ ଓ ଚାଟ୍‌ଭକ୍ଷଣ) ।

ଭୋଳା

-

ହେଉ, ଆଉ ଗୋଟାଏ ଗୀତ ହେଉ ।

ମଦ ଓ ପଦ

-

(ଯନ୍ତ୍ର ବଜାଇବା ।)

 

 

 

ନେତୀ ଓ ପେତୀ

-

(ନୃତ୍ୟ- ଗୀତ)

 

 

ରାଗିଣୀ ଇମନକଲ୍ୟାଣ ।ତାଳ ଖେମଟା ।

 

 

ପୀରତି -ହାଟକୁ ଯିବ ଜୀବଧନ ଆସ ହେ ।

 

 

ସେ ହାଟ -ସଉଦା ଦେବ ଦିବ୍ୟଧାମେ ବାସ ହେ । ଘୋଷା ।

 

 

ତହିଁ ପ୍ରେମ ବିକାକିଣା ବାଣୀ ସେ ବୀଣାଜିଣା,

 

 

ରସିକେ କିଣିବେ ହେବେ ସୁଖେ ତାର ଦାସ ହେ । ୧ ।

 

 

ରୂପ - ଝଟକ ଦେଖି ଲାଖି ରହିବ ଆଖି,

 

 

ଫେରିବା କାଠିକ ପାଠ ତହୁଁ ନିଜ ବାସ ହେ । ୨ ।

 

 

ଚାଲି ଭଙ୍ଗୀ ଚାହାଁଣି ମନକୁ ନେବ ଟାଣି ।

 

 

ବଳେ ଘୋରାଇବ ଘେନି ସୁଖେ ପ୍ରେମ - ଫାଶ ହେ । ୩ ।

 

 

ରସିକେ ବୁଝିକେ ବଝିବେ ରସ, ଆନେ ଲାଗିବ ତ୍ରାସ -

 

 

ସଲିଳେ ସଲୀଳ ଝଷ ଇତରେ ତା ଝାସ ହେ । ୪ ।

ଅନ୍ୟ ସମସ୍ତେ

-

(ନୃତ୍ୟଗୀତ ସମୟରେ ନିଶାଭୋଳରେ ନାନାପ୍ରକାର ବାକ୍ୟ ବ୍ୟବହାର, ଅଙ୍ଗଭଙ୍ଗୀ ଓ ନୃତ୍ୟକରଣ ।)

 

 

ଏବେ ଚାଲ ସମସ୍ତେ ବଗିଚାକୁ ଯାଇ ଗଣେଶ ପୂଜାର ଆବାହନ କରିବା

ଭୋଳା

-

ରତନ, ତୁମ୍ଭେ ପଛ ହୋଇ କୋଡ଼ିଏ ବୋତଲ ବିଲାତୀ ପାଣି ଘେନିଆସ ।

 

 

[ଚାନ୍ଦମଣିର ବହି ଓ କଲମ ଧରି ପ୍ରବେଶ ]

ଚାନ୍ଦ

-

(ବହି ଦେଖାଇ) ହଜୁର ହିସାବଟା ଦସ୍ତଖତ୍‌ଦେବ ? (କଲମ ବଢାଇଦେବା-।)

ରତ

-

ଆଃ ! ନିତି ଏତିକି ବେଳେ ଆସେ । - ତାଳଜ୍ଞାନ ନାହିଁ !

ମାଣି

-

ସେଟା ତାଳକଣା !

ଭଜ

-

ତାଳକଣା କାହିଁକି ହେବ ? - ତାର ତାଳ ଠିକ୍‌ଅଛି !

ଭୋଳା

-

(ଝୁଲୁଝୁଲୁ) କଣ କରିବ - ଗୁମାସ୍ତାତ ସକାଳୁ ଲେଖୁଛି - ଚୌଧୁରୀଘର ହିସାବ କି କମ ! ତେବେବି ବାବୁମାନେ ବାରବରଷରେ ଥରେ ହିସାବ ଦେଖନ୍ତି ନାହିଁ - ଆମର ନିତି ଦସ୍ତଖତ୍‌। (କଲମ ନେଇ ବହିରେ ଦସ୍ତଖତ୍‌କରିଦେବା ।)

ଚାନ୍ଦ

-

(ଏକହାତରେ ବହି ଧରି ଅନ୍ୟ ହାତରେ କଲମ ନେଇ କାନରେ ଖୋସିବା-।)

 

 

[ଆଗେ ୨ ଭୋଳାନାଥ ତତ୍‌ପଶ୍ଚାତ୍‌ ଚାନ୍ଦମଣି ଓ ରତନ ଛଡ଼ା ସମସ୍ତଙ୍କର ଝୁଲି ଝୁଲି ପ୍ରସ୍ଥାନ ।]

ଚାନ୍ଦ

-

(ଗୋଟାଏ ବୋତଲ ଉଠାଇ) ଏ ବୋତଲରେ ଥୋଡ଼ା ରହିଗଲା ।

ରତ

-

ଯା ରହିଲା ତେତକ ତୁମ୍ଭର । - ଆଜି ହିସାବଟାରେ କେତେ ପାଇଲ ?

ଚାନ୍ଦ

-

ଆଜି ଏତେ ନାଟକୀର୍ତ୍ତନ - ହେଇଛି ଦୁଇଶଯାକେ ।

ରତ

-

ମୋ ଭାଗଟା ଏହିକ୍ଷଣି ଦେବ ?

ଚାନ୍ଦ

-

ନେବ କାଲି । (ବୋତଲ ସହିତ ପ୍ରସ୍ଥାନ ।)

ରତ

-

କାଲି ବଡ଼ସକାଳୁ ଆସିବି । (ପ୍ରସ୍ଥାନ ।)

 

 

ପଟ ପରିବର୍ତ୍ତନ ।

Image

 

ତୃତୀୟ ଦୃଶ୍ୟ

ଗୁହାଳର ସମ୍ମୁଖଭାଗ

[ସୁଲୋଚନା ଗୋଦହନେ ନିଯୁକ୍ତା, ଅଦୂରେ କେଶବର ବଂଶୀବାଦନ ଓ ରଘୁର ଗୀତଗାନ ।]

 

କେଶ ଓ ରଘୁ

-

(ଗୀତ)

 

 

ରାଗ ସାବେରୀ । ତାଳ ଝୁଲା ।

 

 

ତୋ ଘେନି ଗୋପୀଙ୍କ ଜୀବନ ରେ ନୀଳ-ରତନ ।

 

 

ତୋ ବିନା ନାହିଁ ତାଙ୍କ ଧନ ରେ । ଘୋଷ ।

 

 

ତୁ ଗୋରୁ ଚରାଉ ବନେ ରେ ଭଙ୍ଗିଆ ଗୋଈ ଜଗିଥାନ୍ତି ବାଟ,

 

 

ଯିବାଆସିବାବେଳେ ତୁ କେତେ ନ ଲଗାଉ ନାଟ ରେ । ୧ ।

 

 

କେତେ ରଙ୍ଗ ତୁହି ଜାଣୁରେ ରଙ୍ଗିଆ ଖେଳୁ ଗୋପାଳଙ୍କ ସଙ୍ଗେ,

 

 

ତୋର ବଂଶୀ ଶୁଣି ଦୁଧିଆଳୀ ଅଧିକ ଦେବାକୁ ମଙ୍ଗେ ରେ । ୨ ।

 

 

ସାନ ବଡ଼ ସବୁଠାରୁ ରେ କାଳିଆ ସଦାବେଳେ କରୁ ଅଳି,

 

 

ଗୋପପୁର ନରନାରୀ ସମସ୍ତେ ତୋ ବଳେ ବଳୀ ରେ । ୩ ।

ସୁଲୋ

-

(ଗାଈ ଦୁହିଁସାରି) କେଶବ, ବାଛୁରୀ ଫିଟାଇ ଦେ, ଶାଉଁଳୀ ଆଜି ଦୁଧ ବେଶୀ ଦେଲା ନାହିଁ ଫଳ ଯାଇଚି ।

କେଶ

-

(ବାଛୁରୀ ଫିଟାଇଦେଇ) ମୁଁ ପରା କହୁଥିଲି କାଲି ଗୋଠରେ ଫଳଗଲା ।

ରଘୁ

-

ସବୁ ଗାଈ ଆମର ଫଳ ଗଲେ ।

 

 

[ଚନ୍ଦ୍ରକଳାର ପ୍ରବେଶ ।]

ସୁଲୋ

-

ନେ ଠେକିଟା ନେ, (ଠେକି ବଢ଼ାଇଦେବା) - ସେ ହାଣ୍ଡିକ ଦୁଧ କେତେ ହେଲା-?

ଚନ୍ଦ୍ର

-

(ଠେକି ନେଇ ଦେଖି) ସେ ହେଲା ବାରସେର - ଏ ଚାରିସେର ହେବ ।

ସୁଲୋ

-

ଯା ରଖିଦେଇ ଆ - କେଶବ ଓ ରଘୁ ଦାସ ପକାଇ ସାରିଲେ ମୁ ଯାଉଚି, ଚାଣ୍ଡେ ଦିଟା ରାନ୍ଧିଦେଇ ସେମାନେ ଗୋଠକୁ ଗାଈ ନେଇ ଯିବେ

 

 

[ଚନ୍ଦ୍ରକଳାର ଠେକି ଘେନି ପ୍ରସ୍ଥାନ ।]

 

 

କେଶବ, ରଘୁ, ଆଜି ସହଳ ଯେପରି ଗୁହାଳ ପୋଛିଲ ନିତି ସେହିପରି କରିବ-। ଦିଅ ଏଥର ଏ ଗାଈକି ଗୁହାଳ ଭିତରକୁ ନିଅ - ବାଛୁରୀ ପିଉଥାନ୍ତୁ, ଘାସ ପକାଇ ଦିଅ ଖାଇକରି ଗୋଠକୁ ଯିବ ।

 

 

[କେଶବ ଓ ରଘୁ ଗାଈବାଛୁରୀଙ୍କି ଘେନିଯିବା ।]

 

 

(ଗୁହାଳ ଆଡ଼କୁ ଅନାଇ ହାତ ଯୋଡ଼ି) ଓଁ ଦୁହୀୟନ୍ ମିତ୍ରଧିତୟେ ୟୁବାକୁ ରାୟେ ଚ ନୋ ମି ମୀତଂ ବାଜବତ୍ୟୈ । ଇଷେ ଚ ନୋ ମିମୀତଂ ଧେନୁମତ୍ୟୈ । (ନମସ୍କାର କରଣ ।)

 

 

[ପ୍ରିୟବତୀର ପ୍ରବେଶ ।]

ପ୍ରିୟ

-

କି ସହି ! ଗୁହାଳ କାମ ସଇଲାଣି ପରା ? ମୁଁ ବଂଶୀ ଗାଉଣା ଶୁଣି ତରଭର ହୋଇ କାମ ସାରି ଆସୁଚି । ତୁମର ଏ ଗୁହାଳକୁ ରାଜା ମହାରାଜାଙ୍କ ଉଆସ ଲାଗେ ନାହିଁ ପରା - କେଡ଼େ ନିର୍ମଳ, ଚାରିଆଡ଼େ ଚହଟ ଚିକଣ ଦିଶୁଛି ଆଉ ହୋମ ଧୁଆଁରେ ମହକୁଚି ପଡ଼ି ।

ସୁଲୋ

-

ହଁ ସେ ଏହିକ୍ଷଣି ସଇଲା । ଗାଈଙ୍କି ଘାସ ଦିଆ ସଇଲେ ମୁଁ ଯିବି - ଗଣ୍ଡାଏ ଖାଇଲେ ଗୋଠିଆ ଗୋଠକୁ ଯିବେ ।

ପ୍ରିୟ

-

ସହି ! ତୁମେ ଏକା ସଂସାରରେ ପୁଣ୍ୟବତୀ - କାହା ଭାଗ୍ୟରେ ଆଉ ଏତେ ପୁଣ୍ୟ ଘଟେ କି ! (ଗୀତ)

 

 

ରାଗ ଦକ୍ଷିଣକାମୋଦୀ । ତାଳ ଆଠତାଳୀ ।

 

 

ଆହା ମୋ ପରାଣ-ମିତଣି । ତିନିଭୁବନ ରମଣୀମଣିରେ । ପଦ ।

 

 

ତୋର ସମ ଗୁଣବତୀ ତିନିପୁରେ ନାହିଁ ସତି ।

 

 

ସଦା ମନ ଥିବି ତୋର କତିରେ । ୧ ।

 

 

ଦିବା ନିଶି ଚକ୍ର ପରି ଧନ୍ଦା କରି ବୁଲ ଘୁରି ।

 

 

ତିଳେ ଅଳସ ନାହିଁ ତୋହରି ରେ । ୨ ।

 

 

ଋଷି-କନ୍ୟା ସରଳତା ମଧୁପରି ବାଣୀ ମିଠା ।

 

 

ଦିବ୍ୟ ସୁନ୍ଦର ସବୁ ତୋ କଥା ରେ । ୩ ।

 

 

ସ୍ନେହ-ଡୋରେ ସବୁ ପ୍ରାଣୀ ଧରିଅଛୁ ସଦା ଟାଣି ।

 

 

ପାରେ କେ ତୋ ଭାଗ୍ୟ ବଖାଣି ରେ । ୪ ।

ସୁଲୋ

-

ସହି ଏତେ କଥାକୁ ମୁ ସରି ନୁହେଁ - ମୋ ପରି ଦୁଃଖିନୀ ସାରା ସଂସାରରେ ପାଇବ ନାହିଁ । ମୋ ଭଳି ହତଭାଗିନୀ ବସୁନ୍ଧରା କେବେ ଧରି ନ ଥିଲା କି ନ ଧରା ମୁ ସଧବା ହୋଇ ବିଧବା ! ବିଧବାଙ୍କ ସ୍ୱାମୀ ନାହିଁ ବୋଲି ଗୋଟାଏ ଦୁଃଖ - ମୋର ସ୍ୱାମୀ ଥାଉଁ ଥାଉଁ ମୁଁ ଡରି ରହିଚି ।

 

 

(ଗୀତ) ରାଗ ଭୈରୋଁ । ତାଳ ଏକତାଳୀ ।

 

 

ଦିନୁ ଦିନୁ ପ୍ରାଣସଜନି ଗୋ ଡରିଯାଏ ଭାଳି ତନୁ ।

 

 

ପତି ପାଶରେ ସତୀ ବଢ଼ଇ (ପତି ପାଶେଥିଲେ ସତୀ ବଢ଼ୁଥାଇ) ଫୁଲି ଉଠଇ ମନୁ । ପଦ ।

 

 

ପାଶରେ ମୋର ବାସରେ କେହି ଧରିବାକୁ ନାହିଁ ସାହା ।

 

 

ଉପାସ ଭୋକରେ ମରି ଯାଉଥିଲେ କରିବାକୁ ନାହିଁ ଆହା । ୧ ।

 

 

କରମହୀନ ମୋଠାରୁ ଦୀନ ସଂସାରେ ଦେଖିବ ନାହିଁ ।

 

 

ପତି-ପଦଧୂଳି ଯେବେ ନ ପାଇଲି କି ହେବ ସକଳ ଥାଇ । ୨ ।

 

 

ପତି ମୋର ଗତି ପତି ମୋ ମୁକତି ନାମ ଜପୁଥାଏଁ ସଦା ।

 

 

ସଂସାର ସାର ଅଭାବେ ତାର ଦିଶିଥାଏ ମୋତେ ପଦା । ୩ ।

ପ୍ରିୟ

-

ସେକଥା ମାପିଲେ କି ହେବ ? ତୁମେ ରତ୍ନଗର୍ଭା - ପେଟରେ ଯାକୁ ଧରିଥିଲ ତାର ନାମ ଆଜି ଚାରିଆଡ଼େ ବାଜୁଚି ! ଆଜି ବିଲାତରୁ ଯେଉଁ ଚିଠି ଆସିଲା ତହିଁରୁ ଜଣାଗଲା ସେ ଆଉ ଦଶଦିନେ ଏଠାରେ ପହଞ୍ଚିବ ।

ସୁଲୋ

-

ତୁମମାନଙ୍କ ଆଶୀର୍ବାଦ ଘେନି ସେ ବଢ଼ୁଚି । ମୁଁ ତ ଚାରିବର୍ଷ ହେଲା ତାକୁ ନ ଦେଖି ବାୟାଣୀ ପରା ହୋଇ ଗଲିଣି - ଆଖିର ତାରା ଖସି ପଡ଼ିଲା ପରି ଦିଶୁଚି ! ଈଶ୍ୱର ଯେଉଁ ଦିନ ମୁକୁନ୍ଦକୁ କୋଳରେ ଆଣି ଦେବେ ସେଦିନ ମୋ ପିଣ୍ଡରେ ପ୍ରାଣ ପଶିବ ।

ପ୍ରିୟ

-

ଆହା ! ଯାହାର ସ୍ୱାମୀସୁଖ ନାହିଁ ତାର ଘର ଅରଣ୍ୟ ପରି । ସେ ଅରଣ୍ୟରେ ପୁତ୍ର ଏକା ବାଟର ସଙ୍ଖାଳି - ପୁତ୍ର ବୋଲି ପୁତ୍ର, ସବୁ ପାସ କରି ଜୟଡଙ୍କା ବଜାଇ ଆସୁଚି !

ସୁଲୋ

-

ସହି, ମୁକୁନ୍ଦକୁ ଚାରିବର୍ଷ ହେଲାଦିନୁଁ ସ୍ୱାମୀସଙ୍ଗେ ମୋର ଦେଖା ନାହିଁ - ଆଜି କୋଡ଼ିଏବର୍ଷ ପୁରିଲା । ରାଜତ୍ନ ପରି ଜମିଦାରୀରୁ ଷୋଳବର୍ଷ ହେଲା କଡ଼ାଏ କଉଡ଼ି ମିଳେ ନାହିଁ, - ଗୁମାସ୍ତାକୁ ଭଲମନ୍ଦରେ ଡକାଇବାରେ ସେ ଦୁଇ ଚାରିଥର ମୁହ ମୋଡ଼ି ଦେଇ ଅପମାନ କରିବାରୁ ଆଉ ତାକୁ ଡକାଏ ନାହିଁ । ଭାଗ୍ୟବଳକୁ ଭଗବାନ ପଠାଇଲା ପରି ସନ୍ନ୍ୟାସୀ ଆସି ମନ୍ତ୍ର ଦେଇ ଗଲେ - ଦୁଧ ପୁଷ୍ଟି ସାଧନ କରେ, ଦୁଧ ମିତ୍ର, ଦୁଧ ଦୁଃଖଦୂରକାରୀ; ଈଶ୍ୱର ଉପଦେଶ ଦେଇଚନ୍ତି ଦୁଧକୁ ଜୀବନ ପରି ମଣି ଗୋରୁ ରଖି କାର୍ଯ୍ୟ ଚଳାଇଲେ ଜ୍ଞାନ ଓ ପୋଷଣ ଉଭୟ ହେବ । ମୋର ଗୋରୁ ଦେବତା । ତାଙ୍କରି କଥା ମାନି ମୁ ଈଶ୍ୱରକୁ ଡାକି ଗୋରୁଙ୍କ ସେବାରେ ଲାଗି ପୁଅକୁ ଏଠାରୁ ପାସ କରାଇ ବିଲାତି ପଠାଇଲି । ଏତେ ଖର୍ଚ୍ଚ ଗୋରୁଙ୍କ ଲାଗି ମୋତେ ଜଣାଗଲା ନାହିଁ ଆଉ ତୁମେବି ମୋର ସହାୟ ହୋଇଥିଲ । ତୁମର ସ୍ୱାମୀ ଯୁଗେ ଯୁଗେ ବଞ୍ଚିଥାନ୍ତୁ । - ଗାଈ ମୋର ଧନ, ଗାଈ ମୋର ଜୀବନ, ଗାଈଙ୍କ କଲ୍ୟାଣରୁ ମୋର ପରିତ୍ରାଣ । ସନ୍ନ୍ୟାସିଙ୍କ ଆଜ୍ଞାରେ ସଙ୍ଗୀତ ଶୁଣାଇବାରୁ ଗାଈଙ୍କ ଦୁଧ ଯେମନ୍ତ ଅଧିକ ହେଲା ମୋର ବି ଅଭାବ ତେମନ୍ତ ଘୁଞ୍ଚିଲା ।

ପ୍ରିୟ

-

ଯାହା କହିଲ ଯଥାର୍ଥ - ସ୍ତ୍ରୀର ସର୍ବସ୍ୱ ସ୍ୱାମୀ । ସ୍ୱାମୀପଦ ସେବା କରିବାକୁ ନ ପାଇଲେ ସଂସାର ବିଷପ୍ରାୟ ଲାଗେ । ଚୌଧୁରୀ ଏଡ଼େ ଅବୁଝା ହୋଇଗଲେ ଯେ ଥରେ ହେଲେ ଭୁଲରେ ଝଞ୍ଜା ଭିତରକୁ ଗୋଡ଼ ପକାଇଲେ ନାହିଁ । ଗୁମାସ୍ତା କଥାରେ ପଡ଼ି ସବୁ ନଷ୍ଟ କଲେ ।

ସୁଲୋ

-

ଥାଉ, ତାଙ୍କ ନିନ୍ଦା ଶୁଣିବା ସୁଦ୍ଧା ମୋର ଉଚିତ ନୁହେ ।

 

 

[ଚନ୍ଦ୍ରକଳାର ପ୍ରବେଶ ।]

ଚନ୍ଦ୍ର

 

ମା ଚାଲ, ଚୁଲ୍ଲୀ ଲଗାଇବ - ମୁଁ ପରିବା କାଟି ଚାଉଳ ଧୋଇଧାଇ ରଖି ଦେଇଚି । କାଲି ସଞ୍ଜବେଳୁଁ ଦାରିଆଣୀଙ୍କି ଘେନି ବଗିଚାକୁ ଯାଇଚନ୍ତି ଯେ ଏତେବେଳଯାଏ ଦେଖା ନାହିଁ । - ହାବୁଡ଼େ ପଡ଼ନ୍ତେତ ମୁଁ ସେ ମାଣିକରତନ ଯୋଡ଼ିଙ୍କ ମୁହଁ ଫୁଲାଟା ପାଞ୍ଚଣବାଡ଼ିରେ ଭାଙ୍ଗି ଦିଅନ୍ତି - ଅଇଣ୍ଠାଖିଆ ଧିଟଙ୍କ ପୁଣି ଗରବ କେତେ ! ମାଗିଖିଆଙ୍କର ଚାତୁରୀ କେଡ଼େ !

 

 

[ମାଣିକ, ରତନ, ଭଜନ ଓ ପ୍ରେମାନନ୍ଦ ଭୋଳାନାଥକୁ କାନ୍ଧରେ ଘେନି ପ୍ରବେଶ ।]

ମାଣି, ରତ, ପ୍ରେମା ଓ ଭଜ

-

(କାନ୍ଧରୁ ଓହ୍ଲାଇ ଭୋଳାନାଥକୁ ତଳେ ଥୋଇଦେଇ) ମା, ଏ ମଦ ଖାଇ ଏକାବେଳକେ ବେହୋସ ହେଇଯାଇଚନ୍ତି - ଯେତେ ପାଣି ଢାଳିଲୁଁ ହୋସ ହେଲାନାହିଁ ।

ଚନ୍ଦ୍ର

-

(ଘୋର ପାଟିକରି) ଏ ଅଇଣ୍ଠାଖିଆ ଛତରାଏ ସବୁ ସାଇଲେ ! ଏ କୁଳାଙ୍ଗାର ବାଳୁଙ୍ଗାକୁ ଘର ଭାଙ୍ଗିବାପାଇଁ ବିଧାତା କାହିଁକି ଜନ୍ମ ଦେଇଥିଲେ ! (ଗୁହାଳ ଦୁଆରୁ ପାଞ୍ଚଣ ଦୁଇଖଣ୍ଡ ଦୁଇ ହାତରେ ଉଠାଇ ମାଣିକ ପ୍ରଭୃତିଙ୍କି ପ୍ରହାର ।)

ମାଣି, ରତ, ପ୍ରେମା ଓ ଭଜ

-

(କାନୁମୁଣ୍ଡ ଆଉଁସି ନିଶାଯୁକ୍ତସ୍ୱରେ) ଓହୋ ! ଓହୋ ! ମା କାଳୀ, ରକ୍ଷା କର - ରକ୍ଷା କର ! (ପଳାୟନ) ।

 

 

[ଚନ୍ଦ୍ରକଳା ପଛରେ ଗୋଡ଼ାଇଯିବା ।]

ସୁଲୋ

-

(ଉଚ୍ଚୈଃସ୍ୱରେ) ମୋ ମାଲୋ, ମୋରତ ସବୁ ସମ୍ପତ୍ତି ସଇଲା ଲୋ । (କାନ୍ଦୁ କାନ୍ଦୁ ଭୋଳାନାଥର ମୁହଁ ଓ ହାତ ଦେଖି ଗୋଡ଼ ଧରି) ସହି, କି ବୁଦ୍ଧି କରିବି-? - ଏତ କାଠପରି ହୋଇଚନ୍ତି !

ପ୍ରିୟ

-

ସହି, ବିପଦବେଳେ ଧୈର୍ଯ୍ୟ ଧରିବା ଉଚିତ । ଥୟ ଧର - ମୁଁ ଯାଇ ତାଙ୍କୁ ଡାକିଆଣେଁ - ଔଷଧପତ୍ର କରିବା ।

 

 

[ବାମଦେବ ସହିତ ଚନ୍ଦ୍ରକଳାର ପ୍ରବେଶ ।]

 

 

ହେଇଟିତ ଆସିଲେଣି - ଚନ୍ଦ୍ରୀ ଯାଇ ଡାକି ଆଣିଲା, ଭାରୀ ବୁଦ୍ଧିମତୀ ।

ବାମ

 

ଚନ୍ଦ୍ରକଳା ବେଶ କରିଛି - ସେମାନେ ମାଡ଼ର ଉପଯୁକ୍ତ ପାତ୍ର - ଲହୁଲୁହାଣ ହୋଇ ଦଉଡ଼ି ପଳାଇଲେ । (ଭୋଳାନାଥ ନିକଟରେ ବସି ହାତ ଗୋଡ଼ ମୁଁହଁ ନାକ ଦେଖି) ଆଉ କିଛି ନାହିଁ - ନାଡ଼ିରୁ ଜୀବନ ଛାଡ଼ି ଯାଇଛି- ଛାତି ଫାଟି ଦେହରୁ ଢେର ରକ୍ତ ବାହାରିଯାଇ ମୃତ୍ୟୁ ଘଟିଲା । - ହାୟ ! (ଆପଣା ଆଖିରୁ ଲୁହ ପୋଛି) ଧନମଦରେ ମାତି ସଂସାରରେ ଯେଉଁମାନେ ଏତେ କୁକ୍ରିୟା କରନ୍ତି ତାଙ୍କର ଏହି ପରିଣାମ ।

ସୁଲୋ

-

(ପାଟିକରି କାନ୍ଦି) ମୋ ବଉଲୋ ! ମୋ କପାଳେ (ସ୍ୱାମୀ ପାଦ ଉପରେ ଢଳି ପଡ଼ିବା ।)

ଚନ୍ଦ୍ର

-

(ବାଡ଼ି ପକାଇଦେଇ) ଏ କି ହେଲା ! (ସୁଲୋଚନାକୁ ଧରି ବସିବା ।)

ବାମ

-

ପାଣି ଆଣ, ପାଣି । (ସୁଲୋଚନାର କାନ ଫୁଙ୍କିବା ।)

ପ୍ରିୟ

-

(ଲୁହ ପୋଛୁ ୨) ମୁଁ ଆଣୁଚି (ଦଉଡ଼ିଯାଇ ନେପଥ୍ୟରୁ ପାଣି ଢାଳେ ଆଣି ସୁଲୋଚନାର କପାଳ ଓ ମୁଣ୍ଡରେ ପାଣି ଲଗାଇ ପାଟିକରି) ସହି ! ସହି ! ସହି !

ବାମ

-

(ସୁଲୋଚନାର ମୁଣ୍ଡ ଓ କପାଳରେ ପାଣି ଦେଇ ପରେ ହାତ ଦେଖି) ଆଉ ଡାକିଲେ କି ହେବ ? ଏ ମହାସତୀ ! ସ୍ୱାମୀ ପାଦ ଧରି ଏକାବେଳକେ ଇହସଂସାର ତ୍ୟାଗ କଲେ ।

ଚନ୍ଦ୍ର

-

(ପାଟିକରି କାନ୍ଦି) ଆମର ସଂସାର ସଇଲା ! ଏବେ କାହାକୁ ମୁଁ ନିତି ମା ବୋଲି ଡାକିବି ! କାହାସଙ୍ଗେ ଅଳି ଲଗାଇବି ! ମୋ ମାଲୋ ! (ଲୁହ ପୋଛିବା ।)

 

 

[କେଶବ ଓ ରଘୁର ଦ୍ରୁତବେଗରେ ପ୍ରବେଶ ।]

କେଶ ଓ ରଘୁ

-

(କାନ୍ଦୁ ୨) ଆମର ମା କି ଆମକୁ ଛାଡ଼ି ଚାଲିଗଲେ ! (ସୁଲୋଚନା ନିକଟକୁ ଯାଇ) ମା, ମା- ଆଉ କି ଶୁଣିବ ନାହିଁ, କୁଆଡ଼େ ଚାଲିଗଲ ! (ଲୁହପୋଛି) ଆମକୁ ଆଉ କି ଅନାଇବ ନାହିଁ - କିଏ ଆମକୁ ଆଉଁସି ପାଉଁସି ଆଉ ପୋଷିବ । ଗାଈଯାକ ଲୁହ ଗଡ଼ାଇ ଅନେଇଚନ୍ତି - ଖାଉନାହାନ୍ତି, ତାଙ୍କୁ ଖୋଇବ କିଏ !

ପ୍ରିୟ

-

(କାନ୍ଦି ଛାତିରେ ହାତମାରି) ହାୟ ହାୟ, ମୋର ବୁକୁ ଫାଟି ଯାଉନାହିଁ ଯା ! ମୁକୁନ୍ଦ ଆସି ଘରେ କଅଣ ଦେଖିବ ! ମୋର ସତୀଲକ୍ଷ୍ମୀ ସହୀ କୁଆଡ଼େ ଚାଲିଗଲେ !

ବାମ

-

(ଆଖିରୁ ଲୁହ ପୋଛୁ ୨) ଦେଖ, ଆଉ କାନ୍ଦିଲେ କି ହେବ ? ଚାଲ ଏ ଦୁଇଜଣଙ୍କୁ ଧରି ଅଗଣା ଭିତରକୁ ନେଇଯିବା ।- ମୁ କାରଖାନାରୁ ଲୋକ ଡାକିଆଣିବି - ଏକାଚିତାରେ ଏ ଦୁହିଙ୍କ ସତ୍କାର ହେବ ।

 

 

[ବାମଦେବ, କେଶବ ଓ ରଘୁ ଭୋଳାନାଥକୁ ଟେକିନେଇ ଆଗେ ୨ ଓ ତତ୍ପଶ୍ଚାତ୍ ପ୍ରିୟବତୀ ଓ ଚନ୍ଦ୍ରକଳା ସୁଲୋଚନାକୁ ଟେକିନେଇ ପ୍ରସ୍ଥାନ ଏବଂ ଅଦୃଷ୍ଟ-କୁମାରୀ ମାନଙ୍କର ପ୍ରବେଶ ।]

ଅଃ କୁଃ

-

(ନୃତ୍ୟ ସହିତ ଗୀତ)

 

 

ରାଗିଣୀ ସିନ୍ଧୁ ଭୈରବୀ । ତାଳ ଆଡ଼ଖେମଟା ।

 

 

ସତୀ ପତିପ୍ରାଣଠାରୁ ସଂସାରେ କେ ବୋଲି ବଡ଼ ।

 

 

ଗୃହରୁ ଗୃହିଣୀ ବଡ଼ ବିଭବ ଚରିତ୍ର-ବଳ । ଘୋଷା ।

 

 

ସଂସାର-ସୁଖ ଆଧାର, ଗୁଣୀ ଗୁଣେ କରେ ସାର,

 

 

ନିର୍ଗୁଣେ ଦୁଃଖସାଗର ।

 

 

କି ହେବ ଧନ ଯୌବନ ନ ଥିଲେ ସୁବ୍ୟବହାର । ୧ ।

 

 

ନିଶାବେଶ୍ୟାରେ ପିପାସା ବୁଡ଼ାଏ ଆଶା ଭରସା, ଅନ୍ତିମେ ଘୋଟେ ଦୁର୍ଦ୍ଦଶା ।

 

 

ଧନେ ବଡ଼ ନୁହେ କେହି ଗୁଣେ ଏକା ସମାଦର । ୨ ।

 

 

ପିତାପରି ବିଶ୍ୱପାତା ବେଦେ କହିଛନ୍ତି କଥା, ନ କର କେବେ ଅନ୍ୟଥା ।

 

 

ସଦାଚାରେ ମାତି ସର୍ବେ ଜନମ କର ସଫଳ । ୩ ।

 

 

ଯବିନିକାପତନ ।

Image

 

Unknown

ଦ୍ୱିତୀୟ ଅଭିନୟ

ପ୍ରଥମ ଦୃଶ୍ୟ

ରାଜମାର୍ଗ

[କେଳା ଦୁଇଜଣଙ୍କ ଧୁଡ଼କି ବାଦନ ଓ କେଳୁଣୀ ଦୁଇଜଣଙ୍କ ଗୀତଗାଇ ନୃତ୍ୟ ଓ ଏବଂ କେତେଜଣ ଦର୍ଶକ ଉପସ୍ଥିତ ।]

 

କେଳୁ

-

(ନୃତ୍ୟସହିତ ଗୀତ)

 

 

ରାଗ ଆଶାବରୀ । ତାଳ ଝୁଲା ।

 

 

ନିକୁଞ୍ଜକାନନ ଶ୍ୟାମ ଘେନି ସିନା ଶୋଭାବନ । ପଦି ।

 

 

ବ୍ରଜବାଳୀ ଭକ୍ତିରସରେ ଘେରିଛନ୍ତି ଚଉପାଶରେ ।

 

 

ନିଶି ଦିବସରେ କୌତୁକ ନ ସରେ ଛାଡ଼ିବାକୁ ନାହିଁ ମନ । ୧ ।

 

 

ଯାହାର ଯେମନ୍ତ କାମନା ପାଉଛନ୍ତି ନାହିଁ କା’ମନା ।

 

 

ସକାଳେ ସୁମନା ପିନ୍ଧାଇ ସୁମନା ଭୁଞ୍ଜୁଛନ୍ତି ଶ୍ୟାମଧନ । ୨ ।

 

 

ମୁକତି-ସାଧନ ଏମନ୍ତ ମୁଖେ କେ କହିବ କେମନ୍ତ ।

 

 

ଯେ ଭାବେ ଯେମନ୍ତ ସେ ପାଏ ତେମନ୍ତ ରାଧା-ମନ ବୃନ୍ଦାବନ । ୩ ।

 

 

ଚାଉଳ ଭାଜିଲେ ଝାଇଁ । ମୁହଁ ଧାଇଁ ଥାଏଁ ସବୁରିପାଇଁ ମୋହପାଇଁ କେହିନାହିଁ । ଅଖ ପଡ଼ିଥିଲେ ଗାଡ଼ି ଚଳୁଥାଏ ବୁଲି ପଡ଼ୁଥାଏ ପହି । ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।- ହାଁ ଲୋ ହାଁ ହାଁ ହାଁ ହାଁ ।

କେଳାଦ୍ୱୟ

-

ୟେ ସାନ୍ତେ ଗୋଟିଏ ଗୋଟିଏ ପଇସା ଦିଅ ।

କେଳୁ

-

(ହାତପତାଇ ବୁଲି) ୟେ ସମସ୍ତେ ଗୋଟିଏ ଗୋଟିଏ ପଇସା ଦେଲେ ଆମର ପେଟ ପୁରିଯିବ ।

୧ମ ଦର୍ଶ

-

ପଇସା କଣ ଆମେ ଏଠିକି ଆଣିଛୁଁ ଦେବୁଁ ।

୧ମ କେଳୁ

-

ୟେ ସାଆନ୍ତେ ତେବେ ଆଉ ନାଟ ଦେଖିଲ କାହିଁକି ?

୨ୟ ଦର୍ଶ

-

ତୁମେମାନେ ନାଚିଲ, ଆମେ ଦେଖିବାକୁ ଠିଆହୋଇ ଗଲୁଁତ ଦୋଷ ହେଲା-!

୨ୟ କେଳୁ

-

ୟେ ସାନ୍ତେ ମାଗିଖାଇବା କଥା । ଲାଜ-ସରମ-ମୁଣ୍ଡଖାଇ ନାଚିଲୁଁ - କେତେ କୁଆଡ଼େ ଯାଉଚି, ପଇସାଟା ଦେଲେ କି ସରିଯିବ-!

୧ମ ଦର୍ଶ

-

ତୁମକୁ ନାଚିବାକୁ କିଏ କହୁଥିଲା ?

କେଳାଦ୍ୱୟ

-

ୟେ ସାନ୍ତେ ଏମତେ ଚଳୁଚ କାହିଁକି ? (କେଳୁଣୀ ପ୍ରତି) ଆସ ଆସ ହେ, ସେ ଶୁଖିଲାମୁହା ନ ଦେବେ ତ ନାହିଁ ।

 

 

[ଚପରାସୀ ସହିତ ବାମଦେବର ପ୍ରବେଶ ।]

ବାମ

-

କି ଗୋଳମାଳ ଲଗାଇଛ ?

୧ମ କେଳୁ

-

ୟେ ସାନ୍ତେ ଆମେ ଗୀତଗାଇ ନାଚୁଥିଲୁଁ, ଏମାନେ ଠିଆହୋଇ ଦେଖୁଥିଲେ - ପଇସାଟିଏ ମାଗିଲେ ବି ଦେଲ ନାହିଁ ।

କେଳାଦ୍ୱୟ

-

ୟେ କାରଖାନା ସାନ୍ତେ ଆସିଲେଣି - ୟାଙ୍କ ଆଗେ ଗୋଟିଏ ଗୀତଗାଇ ନାଚ, ବକ୍‌ସିସ୍‌ମିଳିବ । (ଧୁଡ଼ୁକି ବାଦନ ।)

 

 

 

କେଳୁ

-

(ନୃତ୍ୟସହିତ ଗୀତ)

 

 

ରାଗିଣୀ ଭୈରବୀ ! ତାଳ ଝୁଲା ।

 

 

ପରମାଦ ଯେ ଅପବାଦରେ ପଡ଼େ ଆଦର ନାହିଁ ନା ।

 

 

ମାଧବକଥା ସାଧବ ଜାଣି ପାଦ ଇଚ୍ଛଇ ନା । ପଦ ।

 

 

ଉନମାଦକ ବଂଶୀ ନାଦ ଶୁଣିବା ସଙ୍ଗେ ହରେ ବିଷାଦ ।

 

 

ନ କର ତାର ପରୀବାଦ ବାଦ ବହ ନା । ୧ ।

 

 

ଯାଦବ ମାଗ ଯା’ଦବ ଜାଣି ଅନ୍ତରବାଣୀ ଅନ୍ତରଯାମୀ ।

 

 

ସାଦରେ ମନସାଧରେ ଡାକ ଅନ୍ତର କର ନା । ୨ ।

 

 

ଦାନ୍ତୁଡ଼ୀ ବୋହୁ ମୋ ଘରକୁ ଶିରୀ । ଚୋର ନ ପଶଇ ଦାନ୍ତକୁ ଡରି । ଛି ଲୋ ଛତୁ । ପାଣି ବରଷିଲେ କେତେ ମାତନ୍ତୁ । ଚୁଛାକୁ ଏତେ । ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ । ପିତଳ ଗୁଣାକୁ ନାକ ଟାଉଁ ଟାଉଁ ସୁନା ଗୁଣା ଥିଲେ ହୁଅନ୍ତୁ କେତେ । ହଁ । ଲୋ ହାଁ ହାଁ ହାଁ ବେଶ୍ ।

କେଳା

-

ୟେ ସାନ୍ତେ କିଛି ଦିଅ ଖାଇବା ।

ବାମ

-

ତୁମ୍ଭେମାନେ ନିତି କେତେ ଉପାୟ କର ?

୧ମ କେଳା

-

ୟେ ସାନ୍ତେ ଟିକସ ନ କରିବୁ କହିବୁଁ ।

ବାମ

-

ନାହିଁ ନାହିଁ, ଡର ନାହିଁ - ମୁଁ ପଞ୍ଚାଏତ ପ୍ରେସିଡେଣ୍ଟ ନୁହେଁ ।

୧ମ କେଳା

 

ୟେ ସାନ୍ତେ କେଉଁଦିନ ଦିଅଣା, କେଉଁଦିନ ଦିସେର ଚାଉଳ କେଉଁଦିନ କିଛି ନୋହିଲାତ ଉପାସ ରହିଲୁଁ ।

ବାମ

-

ମୁ ତୁମ୍ଭମାନଙ୍କ ଖାଇବାର ଉପାୟ କରିଦେବି । କାମ କରିବ ?

୨ୟ କେଳା

-

ୟେ ସାନ୍ତେ ଆମେ କେଳା ଭିକାରୀ ଲୋକ, ଛୁଇଁଲେ ଜାତି ଯିବ - ଆମେ କି ପାଇଟି କରିବୁଁ ?

କେଳୁ

-

ୟେ ସାନ୍ତେ ଆମେ କେଳୁଣୀ ଗୁଡ଼ାକ, ଆମକୁ କିଏ ଠାଁ ଦେବ ନା ସାଇତିବ-

ବାମ

-

ମୋ କାରଖାନାରେ ଜାତି ନାହିଁ, ସେଠି ଛୁଆଁ ଅଛୁଆଁ ନାହିଁ - ସମସ୍ତେ ସମାନ । ଯେ କାମ କଲା ତାର ମାନ ବେଶୀ । ତୁମ୍ଭେମାନେ ମୋ କଥା ମାନିବତ ମୁ ଉପାୟ କରି ଦେବି - ଜଣକେ ଦିନ ଚାରିଅଣାରୁ ଊଣା ପାଇବ ନାହିଁ ।

୧ମ କେଳା

-

ୟେ ଆମକୁ ଖିରସ୍ତାନ କରିବୁ କି ? ୟେ ସେ ସାହେବ କେଳାକେଳୁଣୀ କେତେ ଜଣଙ୍କୁ ଖିରସ୍ତାନ କରି କାମ ଦେଇଥିଲେ ଯେ ଜାତିରେ କେହି ତାଙ୍କ ହାତରେ ପାଣି ଛୁଇଁଲେ ନାହିଁ । ଖିରସ୍ତାନମାନେ ବି ଜାତି କେଳା ବୋଲି ବାରିଲେ । ସେମାନେ କେତେ କଷ୍ଟ ପାଇ ତଣ୍ଡରେ ପଡ଼ି ପୁଣି ଆମ ଜାତିକି ଫେରିଆସିଲେ ।

ବାମ

-

ନାହିଁ, ନାହିଁ - ମୁଁ ଖିରସ୍ତାନ କରିବି ନାହିଁ । ତୁମ୍ଭେମାନେ ଯେପରି ହିନ୍ଦୁ ଅଛ ସେହିପରି ହିନ୍ଦୁ ରହିବ । ମୁଁ କାମକରାଇବାକୁ ନେଲା ଆଗରୁ ତୁମକୁ ହୋମ କତିରେ ବସାଇ ଶୁଦ୍ଧ କରି ଦେବି ।

୨ୟ କେଳା

-

ୟେ ହୋମ କତିକି ତ ଆମକୁ କେହି ଯିବାକୁ ଦିଅନ୍ତି ନାହିଁ - ତୁ ଯେବେ ହୋମ କତିରେ ଆମକୁ ବସାଇ ଶୁଦ୍ଧ କରିବୁ ଆମ ତୋର ଗୋଲାମ ହେବୁଁ ।

୧ମ କେଳା

-

ଆଉ ଅନାଚାର କରିବୁ ନାହିଁ ।

କେଳୁ

-

ଯାହା କରିବାକୁ କହିବୁ କରିବୁଁ ।

ବାମ

-

ମୁ କହୁଛି କେଳାମାନେ ମୋର ଚମଡ଼ା-କାରଖାନାରେ ଆଉ କେଳୁଣୀମାନେ ଲୁଗାକାରଖାନାରେ କାମ କରିବେ । ଯେଉଁ କେଳାମାନେ ଗୋଧି ସାପ ଧରି ଦେବେ ସେମାନେ ସାପ ଗୋଟିକୁ ଚାରିଅଣା ପାଇବେ ।

କେଳା

-

(ଆନନ୍ଦରେ ହେଣ୍ଡି ମାରି ବଜାଇ ଲମ୍ଫ ପ୍ରଦାନପୂର୍ବକ) ବାହୁଆ ! ବାହୁଆ ! ! ୟେ ଆମେ ଯେତେ କେଳା ଏ ଅଞ୍ଚଳରେ ଅଛୁଁ ସମସ୍ତେ ଲାଗିଯିବୁଁ ।- ୟେ ତୁ ଏତେ ଗୋଧି ସାପ କିସ କରିବୁ ରେ ?

ବାମ

-

ମୁଁ ଚମଡ଼ା ତିଆରି କରି ବିଲାତ ପଠାଇବି ।

କେଳୁ

-

ୟେ ଆଉ ଲୁଗାସବୁ କିସ ହେବ କି ?

ବାମ

-

ତୁମ୍ଭେମାନେ ପିନ୍ଧିବ ଆଉ ଦେଶ-ଲୋକେସବୁ ପିନ୍ଧିବେ ।

କେଳୁ

-

(ଆନନ୍ଦରେ ଘେରାଏ ବୁଲିଯାଇ) ବେଶ୍ ବେଶ ?

ବାମ

-

ଚପରାସି । ଯାଅ ତେବେ । ଏମାନଙ୍କୁ ସଙ୍ଗେ ଘେନି ଯାଅ ମେନେଜରଙ୍କ ଜିମା କରିଦେଇ ହୋମର ଆୟୋଜନ କର, ମୁ ଯାଉଛି ।

 

 

[ଚପରାସୀ ସହିତ କେଳା ଓ କେଳୁଣୀଙ୍କର ପ୍ରସ୍ଥାନ ଓ ଗୋପୀଯନ୍ତ୍ର ଓ ରାମକାଠି ବଜାଇ ଗୀତ ଗାଉଁଗାଉଁ ଏକଦଳ ସାଧୁର ପ୍ରବେଶ ।]

ସାଧୁ

-

(ଗୀତ)

 

 

ରାଗ ଭୈରୋଁ । ଢାଳ କହେରୁଆ ।

 

 

କେହି ଅଧଲାଏ ପାହୁଲାଏ ଦିଅ ହେ ଦାତା ଭୋକେ ମରିଯାଇ ।

 

 

ଦେବାଠାରୁ ପୁଣ୍ୟ ନାହିଁ ଅନ୍ତେ ସ୍ୱର୍ଗ ପାଇ । ପଦି ।

 

 

ଅନ୍ନଦାନ ମହାପୁଣ୍ୟ, ଯେ କରେ ସେ ହୁଏ ଧନ୍ୟ,

 

 

ଗୁଣେ ଦେଇଥିଲେ ଦୁଣେ ଲାଭ ହୁଏ ଭାଇ । ୧ ।

 

 

ମାଟି ହେବ ମାଟିଦେହ, ଦାରା ସୁତ ଧନ ଗୃହ,

 

 

ଏକା ଧର୍ମ ଛଡ଼ା ଆନ ସଙ୍ଗେ ଯିବ ନାହିଁ । ୨ ।

 

 

ଦେଇଛନ୍ତି ଭଗବାନ ଦାନେ ହୁଅ ପୁଣ୍ୟବାନ,

 

 

ଅମର ସଂସାରେ ହୁଅ ପାପୁଁ ପାଅ ତ୍ରାହି । ୩ ।

 

 

ଠାକୁରେ ଭଲ କରନ୍ତୁ ! ବାବୁ କିଛି ସାଧୁଙ୍କ କଥା ବୁଝ, ଦୁଇ ଦିନ ହେଲା ଖାଇ ନାହୁଁ ।

ବାମ

-

ଦୁଇଦିନ ନ ଖାଇ ବୁଲୁଛ ? ଚେହେରା ଦେଖି ଦୁଇଦିନ ନ ଖାଇଲା ପରିତ ଜଣାଯାଉ ନାହିଁ ।

ଜନୈକ ସା

-

ଯେ ଦୁଇଦିନ ସେ ଦୁଇଓଳି ।

ବାମ

-

ତେବେ ଦିନେ ଖାଇ ନାହଁ ।- କାଲି କେଉଁଠି ଥିଲ ?

ଜ, ସା

-

ସିଦ୍ଧବଳଦେବ ବାବୁଙ୍କ ଘରେ ଥିଲୁଁ ଯେ ତାଙ୍କର ସାଧୁସେବାରେ ସର୍ବସ୍ୱ ନିଲାମ ହୋଇ ଗଲାଣି । ସେ ବିଚାରା ଶ୍ରମ କରି ବୁଲି ବୁଲି ୟାଠୁ ତାଠୁ ମାଗି ଯାଚି କିଛି ଆଣିଦେଲେ ତାହାହିଁ ଠାକୁରଙ୍କ ଭୋଗ ଲାଗିଲା ।

ବାମ

-

ତେବେ କାଲି ରାତି ଓଳିକ ଖାଇ ନାହଁ ।

ଜ, ସା

-

ରାତ୍ରକୁ କଟରପାମଠରେ ମଉଛବା ହୋଇଥିଲା - ସେଠାକୁ ଗଲାବେଳକୁ ପଙ୍ଗତ ବଢ଼ିଲାଣି । ଯାହାଥିଲା ମହନ୍ତ ବିଚାରା ଆଣିଦେଲା - ପୂର୍ଣ୍ଣଭୋଜନ ହୋଇଗଲା ।

ବାମ

-

ତେବେ ମିଛକଥା କହିଲ !

ଜ, ସା

-

ସେଟା ଆମର ବୋଲି - କଡ଼ାକଡ଼ି ଉପାସ ନ କହିଲେ କେହି ଦେବେ ନାହିଁ-। ସଂସାର ତ ମିଛ !

ବାମ

-

ସେ ତୁମ୍ଭର ଭୁଲ ! ଈଶ୍ୱର ସତ୍ୟ ଆଉ ସତ୍ୟରେ ସଂସାର ଚଳୁଛି । ତୁମ୍ଭର ବ୍ୟବସାୟ ମିଛ - ମିଛ କଥା କହି ପାପ ଅର୍ଜିବାକୁ ହେଲା । ସତ୍ୟଧର୍ମ ଛାଡ଼ି ବାଟ ବହକି ଯାଇ ମାରା ପଡ଼ିଛ - ଏ ତୁମ୍ଭର ଶିକ୍ଷାର ଦୋଷ ।- ଶାସ୍ତ୍ର କହିଛି ଭିକ୍ଷାବୃତ୍ତି କଦାପି କରିବ ନାହିଁ - ଭିକ୍ଷାୟାଂ ନୈବ ନୈ ବ ଚ ।

ଜ, ସା

-

ଆଉ ଭିକ୍ଷା ନ କରି କି କରିବୁଁ ? ଠାକୁରଙ୍କର ଯେଉଁ ଦିନ ଇଚ୍ଛା ହେଲା ସେ ଖାନ୍ତି, ଆମେମାନେ ପ୍ରସାଦ ପାଉଁ, ଯେଉଁଦିନ ନୋହିଲା - ସେ ଉପାସ, ଆମେବି ଉପାସ ।

ବାମ

-

ଠାକୁରତ ସବୁଠି ଅଛନ୍ତି - ତାଙ୍କର ଅଭାବ କିଛି ନାହିଁ, ତାଙ୍କର ଐଶ୍ୱର୍ଯ୍ୟ ଅସୀମ । ତୁମ୍ଭର ପେଟ ପରି ତାଙ୍କର ପେଟ ନାହିଁ - ତୁମ୍ଭେମାନେ ତାଙ୍କୁ ଚିହ୍ନି ନାହଁ । ସେ କହିଛନ୍ତି ପ୍ରାଣୀ ମାତ୍ରକେ ପରିଶ୍ରମ କରିବେ - କାଳେ ଅଳସୁଆ ହୋଇଯିବେ ବୋଲି ଆଶ୍ଚର୍ଯ୍ୟ କୌଶଳରେ ପେଟ ଗଢ଼ିଛନ୍ତି । - ସଂସାର ଗୋଟିଏ ମହାଯଜ୍ଞ । ଯଜ୍ଞପୁରୁଷ ଯଜ୍ଞର ସୃଷ୍ଟି କରି ଖାଇବାରୂପ ଯଜ୍ଞ ସକାଶେ ଉଦରରୂପେ ହୋମକୁଣ୍ଡ ଖଞ୍ଜିଛନ୍ତି । ମନୁଷ୍ୟ ଅନ୍ୟ ଜୀବ ପରି ନୁହେଁ - ସେ ସର୍ବଦା ପୁରୁଷାର୍ଥୀ ହୋଇ ଯଜ୍ଞଦ୍ୱାରା ମନୁଷ୍ୟ-ଜୀବନ ସଫଳ କରିବ । ଈଶ୍ୱର ବେଦରେ ଗାଇଛନ୍ତି - ଓ ଆୟୁର୍ୟଜ୍ଞେନ କଳ୍ପତାମ୍ ପ୍ରାଣୋୟଜ୍ଞେନ କଳ୍ପତାଞ୍ଚକ୍ଷୁର୍ୟଜ୍ଞେନ କଳ୍ପତାଂ ଶ୍ରୋତ୍ରଂ ୟଜ୍ଞେନ କଳ୍ପତାମ୍ପୃଷ୍ଟଂ ୟଜ୍ଞେନ କଳ୍ପତାମ୍ । ୟଜ୍ଞଂ ୟଜ୍ଞେନ କଳ୍ପତାମ୍ ପ୍ରଜାପତେଃ ପ୍ରଜା ଅଭୁମ ସ୍ୱର୍ଦେବା ଅଗନ୍ନାମୃତା ଅଭୁମ । ଈଶ୍ୱରଙ୍କ ଆଜ୍ଞା ପାଳି ବ୍ରହ୍ମଚର୍ଯ୍ୟଦ୍ୱାରା ବେଦାଦି ଶାସ୍ତ୍ରାଧ୍ୟୟନ କରି ଈଶ୍ୱରସମାନ ଗୁଣକର୍ମଶାଳୀ ରାଜାଙ୍କ ଉପଯୁକ୍ତ ପ୍ରଜା ହୋଇ ବିଦ୍ୱାନ୍ ପୁରୁଷଙ୍କ ପ୍ରାପ୍ୟ ସୁଖଲାଭ କରି ପୃଥିବୀରେ ଯଶୋଲାଭ କରିବ । ଏହା ନ କଲେ କେହି ମୋକ୍ଷର ଅଧିକାରୀ ହୋଇ ପାରିବ ନାହିଁ ।

ସାଧୁ

-

(ପରସ୍ପରକୁ ଅନାଇ ଆଶ୍ଚର୍ଯ୍ୟଭାବସୂଚକ ଅନୁମୋଦନବ୍ୟଞ୍ଜକ ଇଙ୍ଗିତାଦି କରି) ଯାହା କହିଲ ଯଥାର୍ଥ ଆଜିଠାରୁ ଆପଣ ଆମ୍ଭମାନଙ୍କ ଗୁରୁ !

ବାମ

-

ତେବେ ଗୁରୁବଚନ ପାଳନକର । ଆମ କାରଖାନାକୁ ଆସ, ଦିନବେଳେ କାମ କରିବ ଆଉ ରାତ୍ରକୁ ମୁଁ ବେଦପଢ଼ି ସତ୍ୟଧର୍ମର ଉପଦେଶ ଦେବି ।

ସାଧୁ

-

ହେଉ, ହେଉ ।- ବେଦ ଶୁଣି ଆମର ଶରୀର ପବିତ୍ର ହେବ !

 

 

[ସଂକୀର୍ତ୍ତନ କରୁ୨ ବୈଷ୍ଣବ ଦଳର ପ୍ରବେଶ ।]

ବୈଷ୍ଣ

-

(କୀର୍ତ୍ତନ ଗୀତ)

 

 

କୀର୍ତ୍ତନ ସ୍ୱର ଓ ତାଳ ।

 

 

ସୃଷ୍ଟିକାଳ ଘେନି ରାଧାକୃଷ୍ଣ ବେନି ଯୁଗଳମ ରତି ଧରି ।

 

 

କ୍ଷୀର ନୀର ପରି ମିଳି ଯାଇଛନ୍ତି ଏକ କୃଷ୍ଣ ଆର ଗୋରୀ । ଘୋଷା ।

 

 

ସଂସାରମୟ ରାଧାକୃଷ୍ଣ ରାଧାକୃଷ୍ଣେ ତଳେ ଜଗତ ।

 

 

ରାଧା ଶୁଭ୍ର ସପ୍ତବର୍ଣ୍ଣସମ୍ମିଳିତ କୃଷ୍ଣ ବର୍ଣ୍ଣହୀନ ତହିଁ ଲୁକ୍କାୟିତ

 

 

ଫୁଟିଛି ରାଧିକା ଯେସନ ସ୍ଥିରସୌଦାମିନୀ

 

 

କେଡ଼େ ଆଶ୍ଚର୍ଯ୍ୟ ରୂପ କେ କଳି ପାରିବ ସଂସାର ଶୋଭେ ରାଧାରାଣୀ !

 

 

ସେହି କୃଷ୍ଣର ଅନନ୍ତ ଲୀଳା

 

 

କେ କଳି ପାରିବ ତାଙ୍କରି କଳା

 

 

ତ୍ରିଭଙ୍ଗି ମା ଠାଣି ତ୍ରିଲୋକ ବଖାଣି, ମୃଦୁ ବଂଶୀଧ୍ୱନି ପ୍ରିୟ ସତ୍ୟବାଣୀ -

 

 

ରୂପ ଘେନି ରାଧା ସକଳ ଦେଖାଏ - ଅନନ୍ତ ଲୀଳା,

 

 

କୃଷ୍ଣ ବୋଲି ଖୋଜି କେହିତ ନ ପାଏ - ଅନନ୍ତ ଲୀଳା,

 

 

କ୍ଷୀର ଭେଦି ନୀର ପାଇବା କଠିନ, ତହୁଁବଳି କୃଷ୍ଣ ରାଧାରେ ପ୍ରଚ୍ଛନ୍ନ, -

 

 

ନାହିଁ ଭେଦାଭେଦ -

 

 

କୃଷ୍ଣ ଶିରେ କେବେ ଶୋହେ ଶ୍ରୀରାଧିକାପାଦ,

 

 

ଆନନ୍ଦନିଳୟେ ସଦାନନ୍ଦେ ରହେ ଶ୍ରୀମତୀ ଯୁଗଳେ ସଚ୍ଚିଦାନନ୍ଦ ।

 

 

ଭବସିନ୍ଧୁ ପାରେ ଯେବେ ଯିବୁ ବାରେ ଡାକ ରାଧାକୃଷ୍ଣ ପ୍ରାଣ ଭରି । ୧ ।

ବାମ

-

ଠିକ୍ ଗାଇଛ ।

ବୈଷ୍ଣ

-

ରାଧେକୃଷ୍ଣ ! ବାବୁ କିଛି ଦିଅ ରାଧାରାଣୀଙ୍କ ଭୋଗ ଲାଗିବ ।

ବାମ

-

(ସାଧୁମାନଙ୍କୁ ଦେଖାଇ) ମୁଁ ଏତେବେଳଯାଏ ଏମାନଙ୍କୁ ବୁଝାଉଥିଲି ଭିକ୍ଷା କଦାପି କରିବ ନାହିଁ । ଭିକ୍ଷାରେ କେବେ ପେଟ ପୁରେ ନାହିଁ ମାତ୍ର ଫଳରେ ମନୁଷ୍ୟତା ନଷ୍ଟ ହୋଇ ନର୍କରେ ପଡ଼ିବାକୁ ହୁଏ । ତୁମ୍ଭେମାନେ କେତେ ଅପମାନ, ମାରମାର ଦୂରଦୂର ସହୁଛ । - ଯାହା ଗାଇଲ ବୁଝି ଦେଖ ଅତି ସତ୍ୟ । - ବେଦରେ ଈଶ୍ୱର କହିଛନ୍ତି ଓଁ ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷ’ ପରିଷସ୍ୱଜାତେ । ତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ତ୍ୟନଚିନ୍ନନ୍ୟୋ ଅଭିଚାକଶୀତ । ଜୀବାତ୍ମା ଓ ପରମାତ୍ମା ସମାନ ଭାବେ ବ୍ୟାପକରୂପ ବନ୍ଧୁ ପରି ମିଳି ସଂସାରରୂପ ବୃକ୍ଷରେ ରହିଥିଲେହେଁ ଜୀବ ଆପଣାର କର୍ମଫଳ ଭୋଗକରେ ଆଉ ସର୍ବବ୍ୟାପୀ ପରମାତ୍ମା ସାକ୍ଷୀସ୍ୱରୂପ ଥାଇ ତାହା ଭୋଗ କରାଇ ଦେଖନ୍ତି । ପରମାଣୁକୁ ପରମାତ୍ମା ରୂପ ଦେଇ ତହିଁରେ ଓତପ୍ରୋତଭାବେ ମିଳି ରହିଛନ୍ତି । ପରମାତ୍ମା ନିର୍ବିକାର, ସେ ସୂକ୍ଷ୍ମଠାରୁ ସୂକ୍ଷ୍ମ - ତାଙ୍କର ରୂପ ନ ଥିବାରୁ ଦେଖାଯାନ୍ତି ନାହିଁ, ସଂସାରର ଲୋକେ ଏକା ପରମାଣୁର ତତ୍ତ୍ୱ ଜାଣି ତାହାରି ରୂପ ଭେଦ କରି ପରମାତ୍ମାକୁ ଦେଖି ପାରିବେ । ଯାହାର ରୂପ ନାହିଁ ତାହାକୁ କୃଷ୍ଣ ଅର୍ଥାତ୍ ବର୍ଣ୍ଣହୀନ ବୋଲିବା ବିଜ୍ଞାନସମ୍ମତ । ସକଳ ବର୍ଣ୍ଣ ମିଳି ଶୁଭ୍ର ହୁଏ । ଏଣୁ ରାଧା ବା ପରମାଣୁକୁ ଶୁଭ୍ରାଙ୍ଗୀ ଅର୍ଥାତ୍ ସମସ୍ତ ବର୍ଣ୍ଣର ସମଷ୍ଟିରୂପେ କଳ୍ପନା କରିବା ସଙ୍ଗତ । ସେହି ଈଶ୍ୱର ନିରାକାର - ତାଙ୍କର ରୂପ ନାହିଁ, ତେଣୁ ବର୍ଣ୍ଣ ଅଭାବରୁ କୃଷ୍ଣ । ସାଧାରଣ ଲୋକପ୍ରିୟ ଧର୍ମ ଗୋଟାଏ ଠିଆକରିବା କାରଣ ରାଧାକୃଷ୍ଣ କଳ୍ପନା ବିଚକ୍ଷଣବୁଦ୍ଧିର କାର୍ଯ୍ୟ । ମାତ୍ର ପରମାତ୍ମା ଓ ପରମାଣୁର ମିଳନ ଜୀବମିଥୁନର ମିଳନଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଯାହା ଲୋକେ ଲୁଚିକରି କରନ୍ତି ତାହାକୁ ଧର୍ମନାମରେ ଗୀତକରି ବୋଲିବା ସମୀଚୀନ ନୁହେଁ । ତହିଁରୁ ନାନା ପ୍ରକାର ଅନିଷ୍ଟଫଳ ବର୍ତ୍ତମାନ ସମାଜରେ ଦେଖାଯାଏ । ଓତପ୍ରୋତ ଭାବେ ମିଳନ ହେତୁ ଏକର ସର୍ବାଙ୍ଗ ଅନ୍ୟର ସର୍ବାଙ୍ଗରେ ଅଛି । ପରମାତ୍ମା ରୂପହୀନ ହେବାରୁ ତାଙ୍କର ଚରଣ ବା ମସ୍ତକ ନାହିଁ - ସୁତରାଂ ସେ ରୂପ କଳ୍ପନା ଭ୍ରାନ୍ତ ।

ବୈଷ୍ଣ

-

ଆପଣ ଆମର ଆଖି ଖୋଲି ଦେଲେ - ଯାହା କହିଲେ ଠିକ ।

ବାମ

-

ଈଶ୍ୱର ସ୍ୱୟଂ ବେଦରେ କହିଛନ୍ତି ଓଁ ସପ୍ତ ତ୍ୱା ହରିତୋ ରଥେ ବହନ୍ତି ଦେବ ସୂର୍ଯ୍ୟ । ଶୋଚିଷ୍କେଶଂ ବିଚକ୍ଷଣ । ଯେମନ୍ତ ସପ୍ତବର୍ଣ୍ଣବିଶିଷ୍ଟ ସୂର୍ଯ୍ୟରଶ୍ମିରୁ ସୂର୍ଯ୍ୟକୁ ଲୋକେ ଉତ୍ତମରୂପେ ଜାଣିପାରନ୍ତି, ସେହିପରି ସପ୍ତସ୍ୱରବିଶିଷ୍ଟ ବେଦଦ୍ୱାରା ଲୋକେ ଈଶ୍ୱରଙ୍କୁ ଜାଣି ପାରିବେ । ସତ୍ୟଶାସ୍ତ୍ରର ଜ୍ଞାନବିନା ସଂସାର ଭେଦକରି ଈଶ୍ୱରଙ୍କୁ କେହି ଦେଖପାରି ନାହାନ୍ତି କି ଦେଖି ପାରିବେ ନାହିଁ । ତୁମ୍ଭମାନଙ୍କୁ ମୋର ଲୋଡ଼ାଥିଲା - ଆସ ବେଦପାଠ ଉତ୍ତାରୁ ତୁମ୍ଭେମାନେ ନିତି ରାତ୍ରରେ ଖୋଳ କରତାଳ ଘେନି ଭଜନ କରିବ - ମୁଁ ଭଜନ ବାଛିଦେବି । ଦୁଇଓଳି ଉତ୍ତମ ଆହାର ହେବ ଏବଂ ଅନନ୍ତ ଜ୍ଞାନମୟ ସର୍ବବ୍ୟାପୀ ସତ୍ୟ ଈଶ୍ୱରଙ୍କର ସତ୍ୟକୀର୍ତ୍ତନ କରିବ ।

ବୈଷ୍ଣ

-

ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ । ଚାଲନ୍ତୁ । ଓଁ ରାଧେକୃଷ୍ଣ ! ଓଁ ହରି !

 

 

[ସାଧୁ ଓ ବୈଷ୍ଣବମାନଙ୍କ ସହିତ ବାମଦେବର ପ୍ରସ୍ଥାନ ।]

 

 

ପଟ-ପରିବର୍ତ୍ତନ ।

Image

 

ଦ୍ୱିତୀୟ ଦୃଶ୍ୟ

ପ୍ରମୋଦ ଉଦ୍ୟାନ

[ଚାଙ୍ଗୁଡ଼ା ଗୋଟିକରେ ଫୁଲହାର ରକ୍ଷିତ ଏବଂ ସ୍ୱର୍ଣ୍ଣଲତା,

ଯାମିନୀ ଓ କାମିନୀର ଉଦ୍ୟାନ ଭ୍ରମଣ ।]

 

ଯାମି

-

(ସ୍ୱରଭଙ୍ଗିରେ)

 

 

ବସିଚି ବସନ୍ତେ ଶିରୀ । ପ୍ରମୋଦ ବନ ଆବୋରି !

 

 

ନାନାଫୁଲ ହାରାବଳୀ । ଟେକିନିଏ ସ୍ୱର୍ଗେ ଧରି ।

 

 

ସ୍ୱର୍ଗ-ବିଦ୍ୟାଧରୀ ଅବା । ଗୋଟିପଣେ ବନେ ଉଭା ।।

 

 

ନାନାଗନ୍ଧେ ନିଶିଦିବା । ଚମକାଏ ଦେବସଭା ।

କାମି

-

ଯଥାର୍ଥ କହିଚ ସଖି ! (ତଦ୍‌ବତ୍‌)

 

 

ଇନ୍ଦ୍ର-ନନ୍ଦନ-କାନନ । ନିନ୍ଦଇ ପ୍ରମୋଦ-ବନ ।

 

 

ଛାଇ ହୋଇଛି କୁସୁମେ । ବସନ ମାନଇ ଭ୍ରମେ ।।

 

 

ସୁଷମା ଶରୀର କାନ୍ତି । ବଖାଣି କେହି ପାରନ୍ତି ।।

 

 

ଉଡ଼ି ଯାଉଚି ତା ଯଶ । ବାୟୁ ସହିତେ ତା ବାସ ।।

 

 

ଯୌବନ-ବିକାଶେ ଯୋଷା । ଯେସନେ ଜଗତ-ତୋଷା ।।

 

 

ବାରତା ପାଇଣ ଅଳି । କରନ୍ତି କେତେ ସେ ଅଳି ।।

 

 

ଯାହାକୁ ପାଏ ତା ମନ । କରଇ ସରସ ଦାନ ।।

 

 

ଉଛୁଳେ ପ୍ରେମ-ସଙ୍ଗୀତ । ମୋହେ ମହାମୁନି-ଚିତ ।।

 

 

ପ୍ରମୋଦ-ଉଦ୍ୟାନ ବାମା । ନାହିଁ ତାହାକୁ ଉପମା ।।

ସ୍ୱର୍ଣ୍ଣ

-

ଆଜି ତ ସଖୀମାନଙ୍କ ରଙ୍ଗାଧରରୁ ପ୍ରେମଧାରା ଗଡ଼ି ଯାଉଚି ! ସଖି (ସ୍ୱରଭଙ୍ଗିରେ)

 

 

କୁସୁମକୋମଳପରାଣ-ଯୋଷାର ଯୌବନ-ବିକାଶ ବେଳେ ।

 

 

କେଉଁ ପ୍ରାଣେ ଆସି ସଖୀମାନେ ପଶି ଚୋରି କରୁଚନ୍ତି ହେଳେ ।।

 

 

ବାଧା ପାଇ ଅଳି ଯାଏ ଯେବେ ଚାଲି ମନକଥା ମନେ ମାରି ।

 

 

କିଏ ପାପଭାଗୀ ହେବ ତାହା ଲାଗି କହିବ ମନେ ବିଚାରି ।।

ଯାମ

-

ସତ ଗୋ ସତ ! (ସ୍ୱରଭଙ୍ଗିରେ)

 

 

ଲାଗିଚି ସଂସାରେ ନିତି । ଏସନ ପ୍ରେମର ରୀତି ।।

 

 

ବାସ ଚହଟିଲା ବେଳେ । ଦୂରୁଁ ଗଡ଼ନ୍ତି ସକଳେ ।।

 

 

କେ କେତେ କରନ୍ତ ଅଳି । କାହା ଭାଗ୍ୟେ ଯାଏ ଫଳି ।।

 

 

ସଖୀଏ ଦୂତିକା ଏକା । ଦେଖନ୍ତି କପାଳ ଲେଖା ।।

 

 

ତୋଳିବେ ନାନା କୁସୁମ । ଖଞ୍ଜିବେ ଯୌବନେ ପୁଣ ।।

 

 

ଅଳିଏ ଯେ ଯିବେ ଫେରି । କରିବେ କେତେ ଗୁହାରି ।।

 

 

ଆସିବେ ତେବେ ନାୟକ । ହେବେ ଯେ ତୋଷଦାୟକ ।।

 

 

ଏଥେ କି ପାପ ଅର୍ଜନ । ସୁମନେ ସ୍ୱର୍ଗ-ଭାଜନ ।।

 

 

(ଗୀତ) ରାଗିଣୀ ସିନ୍ଧୁ ଖମ୍ବାଜ । ତାଳ ଆଠତାଳୀ ।

 

 

ରହିପାରିବ ଏପରି କେ ପ୍ରାଣଧରି

 

 

ଗୋ ସହଚରୀ ।

 

 

ସତେ ହେବ ଭବେ କେହୁ ତୋ ସମସରି ଗୋ । ଘୋଷା ।

 

 

ତୋ ପାଣି ଆଶାରେ କେତେ ଅଳି

 

 

ଆସିଲେ ସକଳେ ନେଲୁ କଳି, -

 

 

ଗୋପେ ବଢ଼ିଛି ଯେ ହେବ ତୋର ପରି ଗୋ । ୧ ।

 

 

ନନ୍ଦନକାନନ-ପାରିଜାତ

 

 

ହେବ ସରି ତୋତେ କାହୁଁ ସତ, -

 

 

ଲାଜେ ସରୁଛନ୍ତି ସ୍ୱର୍ଗ-ବିଦ୍ୟାଧରୀ ଗୋ । ୨ ।

 

 

ତପସ୍ୟା ଯାହାର ତାକୁ ସିନା

 

 

ତୋ ଭଳି ନବୀନା କରେ ତେନା

 

 

ରୁପେ ଗୁଣେ ଯୋଗ୍ୟ ମନ ନିଏ ହରି ଗୋ । ୩ ।

କାମି

-

ସତେ, ସଖି ! ବସନ୍ତତ ପ୍ରବେଶ ହେଲା, ଆଉ କାହିଁକି ବିଳମ୍ବ କରୁଚ !

 

 

(ଗୀତ) ରାଗିଣୀ ଝିଁଝିଟ । ତାଳ ଝୁଲା ।

 

 

ବିଳମ୍ବ ଆଉ କାହିଁ ପାଇଁ କରୁ ସଜନି ।

 

 

ଧରୁ ନାହୁଁ ହୃଦେ କିପାଁ ରମଣୀମଣି । ଘୋଷା ।

 

 

ବସନ୍ତବାୟୁ ଏକା କାହିଁକି ସହୁ ।

 

 

ଉଚ୍ଛନ୍ନ କୋକିଳ ରାବେ ଦେଖ ଅବନି । ୧ ।

 

 

ନାଗରବର ସଜ ଅଛି ନିକର

 

 

ଶୀତଳ ହୃଦୟ କର ସାଦରେ ଘେନି । ୨ ।

 

 

କୋମଳ-ଅଙ୍ଗି ତୋର କୋମଳ ସଙ୍ଗୀ -

 

 

ପ୍ରମୋଦ-ଉଦ୍ୟାନ-ମୁଦ ନ କର ହାନି । ୩ ।

ସ୍ୱର୍ଣ୍ଣ

-

(ସ୍ୱରଭଙ୍ଗିକ୍ରମେ) ସଖି !

 

 

ନବ କିଶଳୟେ କୋମଳ ବସନ୍ତ କୋମଳ କରଇ ପ୍ରାଣ ।

 

 

କୋମଳ କୁସୁମେ ଫୁଲି ଉଠେ ମନ କୋମଳ ଭାବରେ ପୁଣ ।।

 

 

କୋମଳ ସୁବାସ କୋମଳ ପବନେ କଅଁଳ କରଇ ମନ ।

 

 

କୋମଳ କାନ୍ତିରେ ମଜିଯାଏ ଚିତ ହଜଇ ବିବେକପଣ ।।

 

 

କୋମଳ ତାନରେ ଅଳି କରେ ଅଳି ନାଚି ନାଚି ଚଉପାଶ ।

 

 

ତହିଁ କୁହୁସ୍ୱର କୋକିଳ କୋମଳ ମିଶାଇ କରଇ ଦାସ ।।

 

 

କୋମଳ ଭାବରେ ପ୍ରେମ ଉଦ୍ଦୀପନ କୋମଳପ୍ରେମ-କାହାଣୀ ।

 

 

କେତେ ତା ସମ୍ଭାର କେ କହି ପାରିବ କୋମଳେ ଥୁଅଇ ଆଣି ।।

 

 

ସୁକୋମଳ ମେଘ ଜଳୁଁ ହୋଇ ଜାତ କୁଳିଶ ଯେସନ ଜାଣ ।

 

 

ପ୍ରେମ-ଭୋଗ ଏହି ବିଚିତ୍ର ସଂସାରେ ଅଟଇ ବଡ଼ କଠିନ ।।

 

 

(ଗୀତ) ରାଗ ଶଙ୍କରାଭରଣ । ତାଳ ଆଠତାଳୀ ।

 

 

ସଜନି, ବଡ଼ ବିଷମ ପ୍ରେମ ।

 

 

କୋମଳ ରୂପରେ ଅଟେ କଠିନ । ଘୋଷା ।

 

 

ଦିନକପାଇଁ ଏ ନୁହଇ ଘର । ପରଖି ନ ନେଲେ କାଲିକି ପର । ୧ ।

 

 

ହେବ ମୋର ଯେହୁ ଗଳାର ମାଳ । କାଳକ ଦେଖିବି ନ ହେବ କାଳ । ୨ ।

 

 

କଠିନ ପୁରୁଷ କୋମଳା ନାରୀ । ସରି ନୁହେଁ ବାଧା ନ ଗଲେ ସରି । ୩ ।

 

 

ନ ସହିଲେ କାହୁଁ ସୁଖ ସଞ୍ଜାତ । ପଥର ପାଣି ହେବା କି ସୁପଥ । ୪ ।

ଯାମି

-

ଏ କଥା ମୋ ମନକୁ ଲାଗୁଚି - କିଏ କହିଲା ସଖୀର ବୁଦ୍ଧି ନାହିଁ !

ସ୍ୱର୍ଣ୍ଣ

-

ସଖି, ଆହୁରି ଦେଖ (ସ୍ୱରଭଙ୍ଗି କ୍ରମେ)

 

 

ପୁରୁଷ ଭ୍ରମରଜାତି ଚଞ୍ଚଳପ୍ରକୃତି ।

 

 

ପ୍ରେମର ଆବେଗ ସ୍ଥିର ନୁହେ ତାଙ୍କ ମତି ।।

 

 

କେତେ ପ୍ରେମ-ସୁଖ-କଥା ଗୁଣୁ ଗୁଣୁ ସ୍ୱରେ ।

 

 

କହିବେ ଢାଳିବେ ସୁଧା ଶ୍ରବଣ-କୁହରେ ।।

 

 

ସ୍ୱର୍ଗହୁଁ ଉନ୍ନତ ପଦେ ବସାଇବେ ନେଇ ।

 

 

ଚନ୍ଦ୍ରହୁଁ ଆହ୍ଲାଦରାଶି ହାତେ ଦେବେ ଥୋଇ ।।

 

 

ବିଡ଼ିବା ସେ କଥା ସଖି ! ବିଷମ କଠିନ ।

 

 

କାମିନୀ କୋମଳପ୍ରାଣ ହୁଏ ହତଜ୍ଞାନ ।।

 

 

କାମିନୀ ବିଡ଼ିବା ମାତ୍ର ସନାତନ ବିଧି ।

 

 

ସେହି ସେ ଜାଣନ୍ତି ତାର ନିଦାନ ଔଷଧି ।।

 

 

ତାଙ୍କହାତେ ତୁଳାଦଣ୍ଡ ବିହିଲେ ବିଧାତା ।

 

 

ବରିବେ କାମିନୀ ତୁଳି ଧୀରେ କାମୀ-କଥା ।

 

 

ନୋହିଲେ ପଡ଼ିବେ ଖାଲେ ଚିରକାଳ ପାଇଁ ।

 

 

ହୋଇବ ଜୀବନ ଶେଷ ଲୋତକ ବୁହାଇ ।।

 

 

ବିନା ବିବାହରେ ନାହିଁ ନର ନାରୀ ମେଳ ।

 

 

ବିବାହ ନୁହଁଇ କେବେ କଥା ମାତ୍ର ଗେଲ ।।

 

 

ସେ କାରଣୁଁ ବ୍ରହ୍ମଚର୍ଯ୍ୟ ବର୍ଷ ପଞ୍ଚଦଶ ।

 

 

ଜ୍ଞାନେ ଦମ୍ଭ କରେ ଯାହା ନାରୀ ହୃଦଦେଶ ।।

 

 

ବିନା ସେ ଆଲୋକ ବାଟ ହୁଏ ନାହିଁ ଚାଲି ।

 

 

ବୋହିବ କଣ୍ଟା ସେ ବାଟେ ନ ଗଲେ ବିଚାରି ।

 

 

ସେହି କାରଣରୁ ଦେଲି ଛମାସ ସମୟ ।

 

 

ବିଡ଼ିବ ବଚନ କିବା ଶୁଦ୍ଧରସମୟ ।

କାମି

-

ସଖି ! (ସ୍ୱରଭଙ୍ଗିକ୍ରମେ)

 

 

ଗଲାଣି ଛମାସ ପୂର୍ଣ୍ଣ ହେଲାଣି ଫଗୁଣ ।

 

 

କି ଦେଖିଲ କହୁନାହଁ କିପାଁ ଗୁଣାଗୁଣ ।।

 

 

ବିଶୁଦ୍ଧ ପ୍ରେମର ପାତ୍ର ମୁକୁନ୍ଦେ ଦେଖିଲେ ।

 

 

ପ୍ରେମର ପସରା ଜ୍ଞାନ ହୋଇଯାଏ ହେଳେ ।।

ଯାମି

-

ସଖି ! (ସ୍ୱରଭଙ୍ଗିକ୍ରମେ)

 

 

ମୁକୁନ୍ଦ ଯଥାର୍ଥନାମା ପ୍ରେମଭକ୍ତି ଘେନି ।

 

 

ନ ଦେଖିଲୁଁ ଏତେ କାଳ ତିଳେ ସୁଦ୍ଧା ହାନି ।।

 

 

ନ କର ବିଳମ୍ବ ବର ତୋଷମନେ ସଖି ।

 

 

କାମିନୀ କଷଟି ସୁନା ନ ବଳେ ପରଖି ।।

 

 

(ଗୀତ) ରାଗିଣୀ ସାବେରି । ତାଳ ଝୁଲା ।

 

 

କଷି ନେଇଛୁତ ହସି ହସି ଦରହାସି ।

 

 

ହୃଦ-କଷଟିରେ ନିତିପରତରେ ଝଟକ ଅଧିକ ଦିଶି । ପଦ ।

 

 

(ସେତ) ତୋର ମୁଖ ଶଶୀ ଭାଳେ ସଦା ବସି ଯାଇଛି ତହିଁରେ ରସି ।

 

 

ନୁହେଁ ବିଚଳିତ ପ୍ରତିବିମ୍ବ ଯାହା ନେଇଛି ମନସରସୀ । ୧ ।

 

 

(ତୋର) ପ୍ରେମଫାଶେ ପଶି ମଙ୍ଗଳ ମନାସି ମନେ ଯାଇଅଛି ମିଶି ।

 

 

ନ ଦେଖିଲେ ଥରେ ଦିନ ତା ନ ସରେ ଭାଳୁଥାଏ ଦିବାନିଶି ।।

 

 

ଦୟା ପରକାଶି ଦକ ତା ବିନାଶି ଘେନ ସୁଖେ ପ୍ରିୟଭାଷି ।

 

 

(ସେ ତୋ) କିଣାଦାସ ପରି ସେବା କରୁଥିବ ଆନନ୍ଦ-ଜଳରେ ଭାସି । ୩ ।

 

 

[ମୁକୁନ୍ଦର ପ୍ରବେଶ ।]

ମୁକୁ

-

(ହର୍ଷୋତ୍‌ଫୁଲ୍ଲମୁଖେ) ପ୍ରିୟସଖି !

 

 

ଆଜି ଶୁଭଯୋଗ ମୋର ପ୍ରମୋଦ-ଉଦ୍ୟାନେ-

 

 

ସହଚରୀ ସହ ଭେଟ ନୟନ-ପିତୁଳା

 

 

ଜୀବନତୋଷଣୀ, ଯାଙ୍କୁ ନ ଦେଖିଲେ କ୍ଷଣେ

 

 

ବିଫଳ ମନୁଷ୍ୟଜନ୍ମ ମନେ ହୁଏ ହେଳେ ।

 

 

ହସେ ଚରାଚର ଆଜି ବସନ୍ତ ଶାସନେ, -

 

 

ପ୍ରମୋଦ-ଉଦ୍ୟାନ ସମେ ଆନନ୍ଦ-ପ୍ରତିମ ;

 

 

ସୁବାସ-କୀରତି ବହେ ଗନ୍ଧବହ ଦୂରେ

 

 

ହସି ହସି ପୁଲକାଇ ଚରାଚର ଜୀବ ।

 

 

ସୁଗୁଣ କୀରତିରାଶି ଆରାଧ୍ୟା ଦେବୀଙ୍କ

 

 

ଯାଏ ତହୁଁ ଦୂର, ଫୁଲି ଉଠଇ ମାନସ ।

 

 

ପୂର୍ଣ୍ଣଚନ୍ଦ୍ର ମୁଖ ଦେଖି ସାଗର ପରାୟେ ।

 

 

(ହାତଯୋଡ଼ି) କ୍ଷମ ଦୋଷ ମୋର ଯେବେ ଅବେଳେ ଅଧୀନ

 

 

ଆଗତ ଆରାମେ ଯହିଁ ପ୍ରଣାରାମ ଏକା ।

ସ୍ୱର୍ଣ୍ଣ

-

(ସସମ୍ଭ୍ରମେ) ନାହିଁ ଦୋଷ ତବ, କ୍ଷମା ହେବ ଅବା କିସ ?

 

 

ସ୍ୱାଗତ ସୁହୃଦ ସଦା ପ୍ରମୋଦ-ଉଦ୍ୟାନେ, -

 

 

ପୂରାଅ ମାନସ ଯହିଁ ନବୀନ କୁସୁମେ

 

 

ଶୋଭାର ଭଣ୍ଡାର ଶୁଭେ ହୋଇଛି ସଜଡ଼ା

 

 

ଉପଭୋଗ ପାଇଁ । ଭୃଙ୍ଗ-ଗଣେ ଦୁରୁଁ ଆସି

 

 

ଗନ୍ଧବହ ସଙ୍ଗେ କଳି ରଚନ୍ତି କି ତାନେ

 

 

ଚୋରି କରିବାରୁ ବାସ ମଧୁନାଶ ମଣି !

 

 

ଦେଖିଥିଲୁଁ ସର୍ବେ ଭାବବିନିମୟ ପାଇଁ

 

 

ଲୋଡ଼ା ଥିଲା ବେଳେ ଏକା ହୋଇଲ ପ୍ରବେଶ ।

ମୁକୁ

-

(ତଦ୍‌ବତ୍‌) କୃପା ତବ - କରୁଣାର ନାହିଁ ସେ ଅବଧି,

 

 

ବାରିଧି ପରାଏ ନୁହେଁ ବାରି ଯାର ଶେଷ !

 

 

ଅଶାନ୍ତ ହୃଦୟେ ଶାନ୍ତି-ସୁବଚନ ସୁଧା

 

 

ବିହିଛ ସତତ, ଦାସ ଅନୁରକ୍ତ ତହିଁ ।

ଯାମି

-

(ଭଙ୍ଗୀକ୍ରମେ) ଯଥାର୍ଥ ସେ କଥା, ଶୁଣି ସହଚରୀ-ହୃଦ

 

 

ହେଲା ଶାନ୍ତ ଅନୁଗତ ଆନ ଜନେ ଦେଖି

 

 

ଅଧୀନୀ ପରାଏ, ମାତ୍ର ଚଞ୍ଚଳ ପ୍ରକୃତି

 

 

ପୁରୁଷ ଭ୍ରମରଜାତି ଅଳିକୁଳ ପରା

 

 

ଆଜି କଥା କାଲି ମନେ ନ ଥାଏ କଦାପି ।

 

 

(ଅଙ୍ଗୁଳି ନିର୍ଦ୍ଦେଶ କରି)

 

 

ଏଯେ ଭୃଙ୍ଗ ଉଡ଼ିବୁଲେ କାମିନୀ ପାରୁଶେ

 

 

ନ ଥିବ କାଲି କି ପଡ଼ି କମଳିନୀ-ଫାଶେ ?

ମୁକୁ

-

(ମୃଦୁହାସ୍ୟ ସହ) କାମିନୀର ଦୋଷ ତାହା ଝଡ଼ିଯାଏ କିଁପା

 

 

ଉଦ୍‌ଭାସିତ କରି ଦିଶ ଦିନକ ସକାଶେ ?

 

 

 

ଯାମି

-

(ପୂର୍ବବତ୍) କାମୀଜନେ କାମଜ୍ଞାନ, କାମିନୀର ଦୋଷ

 

 

ଦେଖନ୍ତି କେବଳ କେବେ ନୋହି ଆତ୍ମବଶ । -

 

 

ଏକାନ୍ତ ପ୍ରଣୟ ଥିଲେ କାମିନୀ ନିକଟେ

 

 

ବନ୍ଧା ହୋଇଥାନ୍ତେ - ନିଜ ଜୀବନ ଉଜାଇଁ

 

 

ଦିଅନ୍ତେ ବିନାଶେ ତାର ତୁଚ୍ଛ ଭବ ମଣି ।

ମୁକୁ

-

(ଯୋଡ଼ହସ୍ତେ) ମାନିଲି ମୁଁ ହାର - ଏଥି ନାହିଁ ଆନ କଥା,

 

 

ପାଇଲେ ବଚନ ମୋର ନ ହେବ ଅନ୍ୟଥା ।

ସ୍ୱର୍ଣ୍ଣ

-

(ମୃଦୁହସି) ସହଚରୀଠାରେ ହାରି କି ସାହସେ ପଣ

 

 

ଉଠିବାକୁ ମନ - କେବେ ହୁଏ କି ପୂରଣ

 

 

ହଟିଗଲେ ପାଦେ ସ୍ଥିର ନ କରି ମାନସ ?

ଯାମି

-

(ପୂର୍ବବତ୍) ସ୍ଥିରସୌଦାମିନୀ ମୋର ସ୍ୱର୍ଣ୍ଣଲତା ବାଳା,

 

 

ହସେ ଚରାଚର ଯାଇ ଶୋଭାରାଶି ଘେନି -

 

 

ଚମକେ ଚୌଦିଗ ଗୁଣ ଯାଇଚି ଚହଟି

 

 

ସଂସାର-ଅରଣ୍ୟ ପରିଣତ ଉପବନେ ।

 

 

ଯେ ତହିଁ ହୃଦକୁ ଦମ୍ଭ କୁଳିଶୁ ଅଧିକ

 

 

କରି ରଖିଥିବ ଦିବ୍ୟ ପ୍ରେମଭାବ ଘେନି,

 

 

କି ସୁଖେ କି ଦୁଃଖେ କେବେ ନୋହି ଅନ୍ତରାୟ

 

 

ଛାୟାପରି ଏକଭାବେ ହେବ ଅନୁଚର,

 

 

ରଖିବ ମହତ୍ତ୍ୱ ପୁଣି ବଢ଼ାଇ ମର୍ଯ୍ୟାଦା

 

 

ଆପଣା ଉନ୍ନତି ସଦା ଲୋଡ଼ୁଥିବ ସୁଖେ

 

 

ସଂସାର-ଲୋକର ସୁଖ ମନାସି ମନରେ

 

 

ପ୍ରମୋଦ-ଉଦ୍ୟାନ ପରି ପରକୁ ହସାଇ

 

 

ଆପଣା ଶୋଭାରେ ଗର୍ବ ନ କରି କଦାପି

 

 

ଆପଣାର ଅଛି ଯାହା ସମର୍ପି ସକଳ

 

 

ସଂସାରର ଶୁଭବାଣୀ ଲୋଡ଼ିବ ସାଦରେ

 

 

ଅଧିଷ୍ଠାତ୍ରୀ ଦେବୀ ପାଶେ ବନ୍ଧା ଦେଇ ପ୍ରାଣ

 

 

ତିଳେ ହେଲେ ଇତସ୍ତତ ନ ହେବ କାଳକେ

 

 

ସେହି ସେ ଧରିବ ପାଣି ସହଚରୀଙ୍କର -

 

 

ବୀରଭୋଗ୍ୟା ବସୁନ୍ଧରା ଅଟଇ ନିକର ।

 

 

(ଗୀତ) ରାଗିଣୀ ଝିଝିଁଟ ଖମ୍ବାଜ । ତାଳ ଆଠତାଳୀ ।

 

 

ନୁହେଁ ସହଜରେ ଲାଭ ପ୍ରୀତି-ପସରା ।

 

 

ଯା ଘେନି ସୁନ୍ଦର ଧରା ।। ପଦ ।।

 

 

ଭୁଷାପାଇଁ ଭବେ ଯୋଷା ଲୋଡ଼ିବା ଲୋକହସା,

 

 

ସେଠାରେ ପୀରତି-ଆଶା ଚପଳାପରା । ୧ ।

 

 

ପବିତ୍ର ପୀରତି-ରସ ପାଇ ଅର୍ଜିବା ଯଶ

 

 

ମନକୁ ନ କଲେ ବଶ ନ ପଡ଼େ ଧରା । ୨ ।

 

 

ରମଣୀ-ରତନ-ଲାଭ ବିଷମ ବିଶ୍ୱେ ଭାବ,

 

 

ଲଭେ ସିନା ଏକା ଦେବ ଅମୃତ-ଧାରା । ୩ ।

 

 

ପରକୁ ଆପଣା କରି ସୁଖ ଦୁଃଖ ସମ୍ଭାଳି

 

 

ପାରିବ ଯେ ବାଟଚାଲି ତା ପାଶେ ଧରା । ୪ ।

 

 

ମୁକୁତା ମାରିଲେ ଗଜ ସାଗରେ ବୁଡ଼ିଲେ ହେଜ

 

 

ଖଣିବିନା ସୁନାସଜ କଥା ଟାପରା । ୫ ।

ମୁକୁ

-

(ବିନୀତଭାବେ) କି ସାହସେ ବୀର ବୋଲି ହେବ ଗର୍ବ ମୋର ? -

 

 

କହିଲେ କିଏ ସେ ଅବା କରିବ ବିଶ୍ୱାସ ?

 

 

ବୀର ବିନା ବୀରା-ରକ୍ଷା ନୁହଇ ସମ୍ଭବ,

 

 

ବେଦପାଣୀ ରକ୍ଷାକରେ ବିଦ୍ୱାନ ଏକାକୀ ।

 

 

ମୋର ଯା ସମ୍ବଳ ମୋର ମର୍ଯ୍ୟାଦା ବିଦ୍ୟାରେ

 

 

ହେଲେ ଯେତେ ଊଣା, ମାତ୍ର ମୋଠାରୁ ଅଧିକ

 

 

ସହଚରୀ ତବ - ଯହିଁ ସଦ୍‌ବିଦ୍ୟା ସମ୍ମାନ

 

 

ଉଭୟ ମିଳିତ - ଧନୀ ମହାଧନବତୀ ।

 

 

ଏତକ ଅଛଇ ବଳ କହିପାରେଁ ତେବେ

 

 

ଦେଖାଇବା ଅସମ୍ଭବ ହୃଦ ଫେଡ଼ି ଭବେ -

 

 

ଏ ହୃଦେ ଚମକ ଏକା ନ ଜଗଇ କେବେ

 

 

କୁଳିଶ-ପାତରେ ଯାହା ଯାଇଥାନ୍ତା ଲିଭି ।

 

 

ନୁହନ୍ତି ଚପଳା କେବେ ଜାଣେଁ ସଖୀ ତବ,

 

 

କଥା ପରମିତା, ବିଦ୍ୟା ବୁଦ୍ଧି ପରିଣତା,

 

 

ଅକାଟ୍ୟ ପ୍ରମାଣ ତାର - ନୋହିଲେ କି କେବେ

 

 

ସଂସାରେ ସୁଯଶ ଏତେ ଅର୍ଜିଥାନ୍ତେ ସୁଖେ,

 

 

କରିଥାନ୍ତେ ଅନୁଗତ ଏ ଦାସେ ଏକାନ୍ତ ।

 

 

ଜାଣେଁ ମୁଁ ଚପଳାପରି ମୋ ଆଶା କଦାପି

 

 

ନ ଯିବ ସଂସାରେ ଉଡ଼ି କ୍ଷଣକାଳ ଥାଇ

 

 

ପ୍ରମୋଦ-ଉଦ୍ୟାନେ ପଶି ଭୁଗର୍ଭ-ଅନ୍ଧାରେ ।

 

 

ଯାର ଗୁଣ ଗାଇ ଭୋଳ ଅନୁକ୍ଷଣ ମନ

 

 

ବସାଇଛି ସମାଦରେ ହୃଦୟ-ଆସନେ

 

 

ପୂଜଇ ଦେବତା ପରି ସ୍ୱର୍ଗ-ଲାଭ-ଆଶେ,

 

 

ସଂସାର ସକଳ ଦ୍ରବ୍ୟ ଆହରଣ କରି

 

 

ଯା ପଦେ ଦେବାକୁ ବାଞ୍ଛା କରଇ ସର୍ବଦା,

 

 

ସଞ୍ଚାରିଣୀ ଦୀପଶିଖା ପରି ଯେ ଦେବତା

 

 

ଦେଖାଏ ଅଧୀନେ ବାଟ ଅନ୍ଧାର ସଂସାରେ,

 

 

ନ ଭୁଲି ପାରିବି, କେବେ ନୋହିବ ଅନ୍ୟଥା

 

 

ବଚନ ମୋହର; ଜାଣଁ ଗାର୍ହସ୍ଥ-ସମ୍ବାଦ

 

 

ବିହିତ ବେଦରେ ଯାହା ଜନହିତପାଇଁ

 

 

ଜାଣନ୍ତି ସକଳ ସଖୀ ବିଡ଼ିବେ ଦେହରେ ।

 

 

ପାଇଲେ ସେ ପାଣି ଜୀଇ ଶୁଖିଲା ପରାଣ

 

 

ବିଚରି ସଂସାରେ ଅବ । ଶାନ୍ତିସୁଧା ଲଭି

 

 

କାଟିବ ଜୀବନ, ଅବା ଜୀବନ-ତୋଷିଣୀ

 

 

ନୋହିଲେ ଜାଣିବି ଆଶା-ମରୀଚିକା ଭବେ

 

 

ନେବାକୁ ପରାଣ ଏକା ହୋଇ ଥିଲା ଭେଟ ।

 

 

ତେଜିବି ତଥାପି ଜୀବ ସେ ନାମ ଉଚ୍ଚାରି

 

 

ଭଜୁଛି ଜୀବନ ଯାହା ଦବାତିଭାବରୀ ।

 

 

(ଗୀତ) ରାଗିଣୀ ଝିଁଝିଟି । ତାଳ ଛପ୍‌କା ।

 

 

ମୋର ପରାଣ ଘେନିଛି ପରଶମଣି ।

 

 

ମୁଁ ତ ବନ୍ଧାଅଛି ସଖୀଠାରେ ଦିବାରଜନୀ । ପଦ ।

 

 

ମଧୁପିକ ବଚନ ମୋହିଛି ମନ,

 

 

ହଜିଛି ମୋ ବଳ ବୁଦ୍ଧି ତୁଚ୍ଛ ଧରଣୀ । ୧ ।

 

 

ଭଙ୍ଗି ଠାଣି ଚାହାଁଣି ଭାଙ୍ଗିଛି ବାଣୀ

 

 

ସଂସାରେ ନ ଦିଶେ ମୋତେ ଆନ ସରଣୀ । ୨ ।

 

 

ସେ ମୋ ଆଶା ଭରସା ସେ ଲାଗି ରସା,

 

 

ଆଜୀବନ ଏ ଜୀବନ ଅଛଇ ଜାଣି । ୩ ।

 

 

ଭାଗ୍ୟବତୀ ମୋହର ହୋଇଲେ ପର,

 

 

ଜପିବି ଜୀବନେ ଏକା ମୁକତି ମଣି । ୪ ।

କାମି

-

(ହସି ହସି) କାମିନୀ ରମଣୀ ସତୀ ଉଜାଏ ଜୀବନ -

 

 

ଦେଇ ମଧୁ ଭୃଙ୍ଗବରେ ନ ଦୂଷ ତିଳେହେଁ -

 

 

ରମଣୀ-କୁଳରେ ଦୋଷ ନାହିଁ କେବେ ଜାଣ ।

 

 

ପଦ୍ମିନୀ ରମଣୀ ଯେବେ ଜାଣିବ ହୃଦୟ

 

 

ବାନ୍ଧି ରଖିଥିବ ଦୃଢ଼େ ଚିରକାଳପାଇଁ

 

 

ଆପଣା ବକ୍ଷରେ !- ତୁମ୍ଭେ ବୀର ଅଟ ଏକା

 

 

କରିଚ ତପସ୍ୟା ବହୁସାଧ୍ୟ ସାଧନାରେ

 

 

ଇନ୍ଦ୍ରପଦ-ଲାଭେ - ଭଙ୍ଗ ହୋଇନାହିଁ କେବେ ।

 

 

ତଥାପି ତୋଷିବା ନିଜ ଅଧିଷ୍ଠାତ୍ରୀ ଦେବୀ

 

 

ଅଟଇ କଠିନ, ଦେବୀ ସାଧନ ଯଥାର୍ଥ

 

 

ନ ଜାଣିଲେ କେବେ ଆଗେ ହେବେ ନାହିଁ ଉଭା

 

 

ତୋଷିବାକୁ ଭକ୍ତ ତିଳେ ଭକ୍ତି ଥିଲେ ଊଣା ।

 

 

 

 

 

(ଗୀତ)

 

 

ରାଗ ଶଙ୍କରାଭରଣ । ତାଳଝୁଲା ।

 

 

କର ସରାଗ ମନ ନୋହିବ ଉଚ୍ଛନ୍ନ ।

 

 

ଭକିଥିଲେ ମୁକ୍ତି ସମାଧାନ ହେ । ପଦ ।

 

 

ମନ ପ୍ରାଣ ଯେହୁ ସମର୍ପି ସୁଖେ ଦେବୀ-ପାଦପଦ୍ମ ଧରଇ ବୁକେ

 

 

ପୁରଇ ଅଚିରେ ମନସ୍କାମ ହେ । ୧ ।

 

 

ପ୍ରଭାକର ପରି ନିର୍ମଳ ମନ ନ ଥିଲେ ନଳିନୀ ନୁହେଁ ପ୍ରସନ୍ନ,

 

 

ଅଛି ଯେବେ ହୃଦ କର ଟାଣ ହେ । ୨ ।

 

 

କଳାକରପରି କଳଙ୍କ ଯାର କୁମୁଦକୁ ମୁଦ ଅଟେ ଅପାର

 

 

ଊଣା କଥା ନ ପାଇବ ଥାନ ହେ । ୩ ।

 

 

[ତରଭର ହୋଇ ଦାସୀର ପ୍ରବେଶ ।]

ଦାସୀ

-

ଜେମାଦେଇ, ବୋଉ ଆସୁଚନ୍ତି ।

ସ୍ୱର୍ଣ୍ଣ

-

(ସଜାଡ଼ି ହୋଇ ମୃଦୁହାସ୍ୟେ)

 

 

ଆସ ସହଚରି ଆଶା ଆଜିବି ନୋହିଲା

 

 

ପୂରଣ ଏଠାରେ, ଭକ୍ତି ଅଛି ଅବା ଊଣା !

 

 

ପୂରଣ ଏଠାରେ, ଭକ୍ତି ଅଛି ଅବା ଊଣା !

 

 

 

ମୁକୁ

-

(କରଯୋଡ଼ି) ପରାଣ ପରାୟେ ହୃଦେ ବିଚରେ ଯା ବାଣୀ

 

 

ନ ତ୍ୟଜିବେ କେବେ ତ୍ୟଜି ଗଲେକ ଆଗରୁ !

 

 

[ପ୍ରିୟବତୀର ପ୍ରବେଶ ।]

ପ୍ରିୟ

-

ସ୍ୱର୍ଣ୍ଣ ! ଆ ଘରକୁ ଯିବୁ । ମୁକୁନ୍ଦ ! ତୁ ବିଲାତକୁ ଯାଇ ଯେଉଁ ଗୁଣ ଅର୍ଜି ଆସିଚୁ ତୋର ବୁଦ୍ଧିର ଅନୁରୂପ । ମୁଁ ଆଢ଼ୁଆଳରୁ ଥାଇଁ ସବୁ ଶୁଣିଚି । ତୋର ମା ଏ ସମ୍ବନ୍ଧ ମନାସି ଥିଲେ - ମୁଁ ଉଭୟଙ୍କର ସଚ୍ଚରିତ୍ର ଦେଖି ବିବାହବନ୍ଧନରେ ବାନ୍ଧିବାକୁ ସ୍ଥିର କରିଚି ।

ସ୍ୱର୍ଣ୍ଣ

-

(ଲଜ୍ଜାରେ ଅଧୋବଦନା) ।

ପ୍ରିୟ

-

ମା ସ୍ୱର୍ଣ୍ଣ ! ଆଉ ଲଜ୍ଜାରେ କାର୍ଯ୍ୟ ନାହିଁ - ଯେଉଁ ମାଳା ଗୁନ୍ଥିଚୁ ତୋତେ ଯେ ଗଳାରେ ମାଳା କରି ଚିରକାଳ ନାଇବ ତାହାରି ଗଳେ ଲମ୍ବାଇ ଦେ । ଯାମିନି, କାମିନି, ତୁମେମାନେ ହୁଳହୁଳି ଦେଇ ସ୍ୱର୍ଣ୍ଣକୁ ଘରକୁ ଘେନିଯାଅ ।

ଯାମି, କାମି

-

(ଫୁଲମାଳ ନେଇ ସ୍ୱର୍ଣ୍ଣଲତା ହାତେ ଦେବା) ।

ସ୍ୱର୍ଣ୍ଣ

-

(ସଲଜ୍ଜା ମାଳା ଘେନି ମୁକୁନ୍ଦ ବେକରେ ଲମ୍ବାଇ ଦେବା ।)

ଯାମି, କାମି, ପ୍ରିୟ ଓ ଦାସୀ

-

(ହୁଳହୁଳି ଦେବା) ।

ପ୍ରିୟ

-

ବତ୍ସ ମୁକୁନ୍ଦ ! ଏବେ ଘରକୁ ଯା -ତୋର ଶ୍ୱଶୁର ଆଦେଶ ଦେଇଚନ୍ତି କାଲି ବିବାହ ହେବ ।

 

 

 

 

 

[ଆଗେଆଗେ ହୁଳହୁଳି ଦେଇ ଯାମିନୀ ଓ କାମିନୀ ସ୍ୱର୍ଣ୍ଣଲତାକୁ ଧରି ଓ ତତ୍ପଶ୍ଚାତ୍ ପ୍ରିୟବତୀ ଓ ଦାସୀ ପଛରେ ମୁକୁନ୍ଦର ପ୍ରସ୍ଥାନ ଓ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]

ଅଃ କୁଃ

-

(ନୃତ୍ୟ ସହିତ ଗୀତ)

 

 

ରାଗିଣୀ ସାହାନା । ତାଳ ଯତ୍ ।

 

 

ହସଇ ଧରଣୀ ଶୋଭା ପଡ଼ଇ ଉଛୁଳି ।

 

 

ରୂପେ ଗୁଣେ ଅନୁରୂପେ ବରକନ୍ୟାଯୋଡ଼ି । ଘୋଷା ।

 

 

ଧନ୍ୟ ବାମଦେବ ପିତା ଧନ୍ୟା ପ୍ରିୟବତୀ ମାତା,

 

 

ସୁଯୋଗ୍ୟ ପାତ୍ରରେ କନ୍ୟା ଧରେ ଦିବ୍ୟ ଶିରୀ । ୧ ।

 

 

ଉଭୟଙ୍କ ମାତାପିତା ସଂସାର-ସୁଖ-ବିଧାତା,

 

 

ଚିତ୍ରାକୁ ଚନ୍ଦ୍ରମା ମନଗୁଣେ ଅଛି ମିଳି । ୨ ।

 

 

ଭବେ ଭାଗ୍ୟ ବଡ଼ ତାର ଯେ କର୍ମ କରଇ ଭଲ,

 

 

ଜନ-ଆଶୀର୍ବାଦେ ଈଶ-ଆଶୀର୍ବାଦ ଫଳି । ୩ ।

 

 

ଯବନିକାପତନ ।

Image

 

ତୃତୀୟ ଅଭିନୟ

ପ୍ରଥମ ଦୃଶ୍ୟ

କାରଖାନା ସମ୍ମୁଖସ୍ଥ ପ୍ରାଙ୍ଗଣ

[ସୁସଜ୍ଜିତ ପ୍ରାଙ୍ଗଣରେ ବାମଦେବ, ମୁକୁନ୍ଦ ଓ ଶିଳ୍ପିଗଣ ଉପସ୍ଥିତ ।]

 

ବାମ

-

(ପକେଟରୁ ଘଡ଼ି ବାହାର କରି ଦେଖି) ଚାରି ବାଜିବାକୁ ଆଉ ଦଶମିନିଟ ବାକୀ । ଦେଖ, ମୁଁ ସମସ୍ତଙ୍କୁ ତାଗିଦ କରିଦେଉଚି ଲାଟ ସାହେବଙ୍କୁ କୌଣସି କଥାର ଉତ୍ତର ଦେଲାବେଳେ ଉପଯୁକ୍ତ କଥା ଛଡ଼ା କେହି ଯେମନ୍ତ ଚାଟୁବାଣୀ କହିବ ନାହିଁ । ଲାଟ ଓ ଲାଟପତ୍ନୀ ଉଭୟେ ନ୍ୟାୟ ଓ ଧର୍ମର ଅବତାର, କେହି ଅତିରିକ୍ତରୂପେ ସଲାମ ଓ ଦୀନତା ଦେଖାଇଲେ ସେମାନେ ବିରକ୍ତ ହେବେ ।

ମୁକୁ

-

ସାହେବମାନେ ସ୍ୱାଧୀନତାକୁ ଭଲପାନ୍ତି - ସ୍ୱାବଲମ୍ବୀ ଲୋକ ଦେଖିଲେ ତାଙ୍କର ଆନନ୍ଦର ସୀମା ନ ଥାଏ ।

୧ମ ଶିଳ୍ପୀ

-

ସେଦିନ ଛୋଟ ସାହେବ ଆସିଥିଲେ ଯେ ସାନ୍ତାଳ ପିଲାଙ୍କ ଭିତରେ ଜଣେ ଜଣେ ସଲାମ କରିବାକୁ ଭୁଲିଗଲେ, କାହିଁ ସେତ କିଛି କହିଲେ ନାହିଁ । ଆଉ ମୁଁ ଶୁଣିଥିଲି କେତେବର୍ଷ ତଳେ ଗୋଟିଏ ପିଲା ସାହେବଙ୍କୁ ପଛରୁ ସଲାମ କଲା ବୋଲି ତାକୁ ସାହେବ ଧରି ସଜା ଦିଆଇଥିଲେ ।

 

 

 

ବାମ

-

ସେ କାଳ ଗଲାଣି ଏ ସାହେବ ଥିଲେ ଉତ୍ତମ ଶୋଧାଟାଏ ପାଇଥାନ୍ତେ । ଉପର ହାକିମ ଭଲ ହେଲେ ସମସ୍ତେ ବାଗରେ ରହନ୍ତି । ବତ୍ସ ମୁକୁନ୍ଦ ! ମୁ ସକାଳେ ସାହେବଙ୍କ କୋଠିକି ସଙ୍ଖୁଳିବାକୁ ଯାଇଥିଲି - କାର୍ଯ୍ୟଭିଡ଼ ହେତୁ ତୁମ୍ଭେ ଯାଇପାରିଲ ନାହିଁ ବୋଲି କହିଲି, ସେ ତୁମ୍ଭଙ୍କୁ ଗୋଟିଏ ପଦକ ପୁରସ୍କାର ଦେବେ ବୋଲି କହୁଥିଲେ ।

 

 

[ଚପରାସିର ପ୍ରବେଶ ।]

ଚପ

-

(ହାତଯୋଡ଼ି) ଲାଟ ସାହେବଙ୍କ ଗାଡ଼ୀ ପୋଲ ଉପରୁ ଦିଶିଲାଣି ।

ବାମ

 

(ମୁକୁନ୍ଦର ହାତ ଧରି) ଆସ ବତ୍ସ !

 

 

[ବାମଦେବ, ମୁକୁନ୍ଦ ଓ ଚପରାସିର ପ୍ରସ୍ଥାନ ।]

୧ମ ଶିଳ୍ପୀ

 

କାଲି ସକାଳେ ସାହେବ ଲୁଗାକାରଖାନା ଦେଖି କହିଲେ ଯେ ଠିକ୍ ବିଲାତ ପରି ବନ୍ଦୋବସ୍ତ ହୋଇଚି ।

୨ୟ ଶିଳ୍ପୀ

-

ମୁକୁନ୍ଦ ସାହେବଙ୍କ ପରି କେହି ବନ୍ଦୋବସ୍ତ କରିପାରିବେ ନାହିଁ - ତାଙ୍କୁ ପାଇଲା ଦିନୁ ଶ୍ୱଶୁର ଦୁଇଗୁଣ ତେଜ ହୋଇଯାଇ କେମନ୍ତ ସଜରେ ଚମଡ଼ା କାରଖାନାଟି ବନାଇଲେ ।

 

 

[ପତ୍ନୀସହ ଲାଟସାହେବ, କମିଶନର, କଲେକ୍ଟର ଓ ଜଜ ସାହେବ ଓ ବାମଦେବ, ମୁକୁନ୍ଦ ଓ ଅନ୍ୟାନ୍ୟ ଭଦ୍ରଲୋକଙ୍କର ପ୍ରବେଶ ।]

ଶିଳ୍ପିଗଣ

-

(ଅଳ୍ପ ମୁଣ୍ଡ ଲୁଆଇଁ ଯଥାବତ୍ ଅଭିବାଦନ କରଣ ।)

ଲାଟ

-

(ମସ୍ତକରୁ ଟୋପି ଦକ୍ଷିଣ ହସ୍ତରେ କାଢ଼ି ନେଇ ମସ୍ତକ ନୁଆଇଁ ସହାସ୍ୟ ବଦନରେ ସଲାମ, ସଲାମ ! ତୁମ୍ଭମାନଙ୍କୁ ଦେଖିଲେ ମୋର ପେଟ ପୁରିଯାଏ । ଯେଉଁ ଦେଶରେ ଶିଳ୍ପବାଣିଜ୍ୟ ନାହିଁ ସେ ଦେଶ ଉନ୍ନତ ହୁଏ ନାହିଁ । ଭାରତବର୍ଷରେ ଶିଳ୍ପର ଉନ୍ନତି ନ ଦେଖି ମୋ ମନ ଘାଣ୍ଟି ହେଉଥିଲା- ଏଣିକି କାରଖାନାମାନ ବସିବା ଦେଖି ମନ ଶାନ୍ତ ହେଲା ।

ବାମ

-

ହଜୁର ଉତ୍ସାହ ଦେବାରୁ ଏହି ଛମାସ ମଧ୍ୟରେ ଛଶ କାରଖାନା ବସିଲାଣି ।

ଲାଟ

-

ଛହଜାରେ ଥିଲେ ବି ଏଡ଼େବଡ଼ ଭାରତର କୋଣକରେ ପଡ଼ିବ । ତିରିଶିକୋଟି ଲୋକଙ୍କୁ ଅନ୍ତତଃ ତିରିଶିହଜାର କାରଖାନା ଦରକାର ।

ବାମ

-

ଦେଶଲୋକେ ଯେତେ ବିଦେଶକୁ ଯାଇ ଶିଳ୍ପବାଣିଜ୍ୟ ଶିଖି ଆସିବେ ତେତେ କାରଖାନା ବଢ଼ିବ ।

ଲାଟ

-

ତାହା ଠିକ; ମାତ୍ର ଦେଶରେ କଲେଜ ନ ବସିଲେ କେତେ ବିଦେଶକୁ ଖର୍ଚ୍ଚାକରି ଯିବେ ? ସେଥି ସକାଶେ କଲେଜ ବସୁଛି । - ଆଚ୍ଛା ସମସ୍ତେ ବସ । (ଚୌକିରେ ଉପବେଶନ) ।

 

 

[ଲାଟପତ୍ନୀ ଓ ଅନ୍ୟ ସମସ୍ତଙ୍କର ଚୌକିରେ ଉପବେଶନ]

 

 

ଆଚ୍ଛା । ତୁମ୍ଭର ଲୁଗାକାରଖାନାରେ କେତେଲୋକ କାମ କରୁଛନ୍ତି ?

ବାମ

-

ଦଶହଜାର ସ୍ତ୍ରୀ ଓ ଚାରିହଜାର ପୁରୁଷ ।

ଲାଟ

-

(ପକେଟରୁ ନୋଟବହି ବାହାର କରି ଲେଖି) ଏମାନଙ୍କ ମଧ୍ୟରୁ ବାରବର୍ଷର ନ୍ୟୂନ ପିଲା କେତେ ?

ବାମ

-

ଛଶ ବାଳକ ଓ ଚାରିଶ ବାଳିକା ।

ଲାଟ

-

(ପୂର୍ବ ପରି ଟିପି ନେଇ) ଭିନ୍ନ ଭିନ୍ନ ଜାତି କେତେ ଅଛନ୍ତି ?

ବାମ

-

(ପକେଟ୍‌ରୁ ନୋଟ ବହି କାଢ଼ି ଦେଖି) ପାଣ ଚାରିଶ, ବାଉରୀ ପାଞ୍ଚଶ, ଡମ ଶଏ, କଣ୍ଡରା ଚାରିଶ, ମେହନ୍ତର ଦୁଇଶ, ଶାନ୍ତାଳ ପାଞ୍ଚଶ, କନ୍ଧ ଚାରିଶ, କୋଲ ଦୁଇଶ, ଭୂୟାଁ ତିନିଶ, କେଳା ଚାରିଶ, ଯୋଗୀ ତିନିଶ, ବ୍ରାହ୍ମଣ ଛଶ, କରଣ ଆଠଶ ଓ ବାକୀ ଅନ୍ୟାନ୍ୟ ଜାତି ।

ଲାଟ

-

ମୁତ କାଲି ଦେଖିଲି ସମସ୍ତେ ମିଳି ମିଶି କାମ କରୁଛନ୍ତି - ଛୁଆଁ ଛୁଇଁ ବାରଣ ଆଦୌ ନାହିଁ ।

ବାମ

-

ହୋମ କରି ସମସ୍ତ ଅଛୁଆଁ ଜାତିଙ୍କି କାରଖାନାରେ ନେବାଯୋଗେ ଆଉ ବାରଣ ନାହିଁ । ଅନାଚାରୀ କେହି କାରଖାନାରେ ନାହାନ୍ତି ।

ଲାଟ

-

ତୁମ୍ଭର ହତା ମଧ୍ୟରେ କେତେଲୋକଙ୍କର ଉପନିବେଶ ଅଛି ?

ବାମ

-

ପାଣ, ବାଉରୀ, ସାନ୍ତାଳ, କନ୍ଧ, ଭୂୟାଁ. କେଳା ଇତ୍ୟାଦି ପ୍ରାୟ ହଜାର ଲୋକ ପିଲାପିଲି ନେଇ ଅଛନ୍ତି । ନିତାନ୍ତ ପିଲାଛୁଆ ଆଉ ଅକ୍ଷମ ଲୋକ ଛାଡ଼ି ସମସ୍ତେ କାମ କରନ୍ତି ।

ଲାଟ

-

(ଠିଆ ହୋଇ) ବାମଦେବ ! ଏ ସମସ୍ତ ଭଦ୍ରଲୋକଙ୍କ ସମକ୍ଷରେ ଆମ୍ଭେ ତୁମ୍ଭଙ୍କୁ ସରଳାନ୍ତଃକରଣରେ ଧନ୍ୟବାଦ ଦେଉଛୁଁ ! ବାକ୍ୟାଡ଼ମ୍ବର ନ କରି ଅବା ହାଟବଜାରରେ ଭେରୀତୂରୀ ନ ବଜାଇ ତୁମ୍ଭେ ପ୍ରକୃତରେ କାର୍ଯ୍ୟ କରୁଛ । ତୁମ୍ଭରି ପରି ଅନ୍ତତଃ ହଜାରେ ଲୋକ ଦେଶରେ ଜନ୍ମ ହେଲେ ଭାରତର ଦୁଃଖ ରହିବ ନାହିଁ । ପାଣମାନେ ଚୋରି କରି କେତେ ନିନ୍ଦା ଓ କଷ୍ଟ ପାଉଥିଲେ, କେଳାମାନେ ଭିକ ମାଗିବାକୁ ଯାଇ ଅଳଙ୍କାର ଲୋଭରେ କେତେ ପିଲାଙ୍କ ତଣ୍ଟି ଚିପି ମାରିପକାଉଥିଲେ, ଯୋଗିମାନେ କେତେ ଡକାଏତୀ କରୁଥିଲେ; ଏହିପରି ଅନେକ ଅନେକ ପାପାଚରଣ ତୁମ୍ଭଯୋଗେ ରହିତ ହୋଇଛି ଆଉ ଦେଶଲୋକେ କାର୍ଯ୍ୟ ପାଇ ଆପଣା ସୁଖ ସଙ୍ଗେ ଦେଶର ସମୃଦ୍ଧି ବଢ଼ାଉଛନ୍ତି । ତୁମ୍ଭେ ଲାଭଯାକ ଦେଶର ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ଚିକିତ୍ସାଳୟାଦିରେ ବ୍ୟୟ କରିବାର ଯାହା ମନସ୍ଥ କରିଛ ତାହା ଅତୀବ ସାଧୁକଳ୍ପନା। ତୁମ୍ଭରି ଯୋଗେ ଏକା ତୁମ୍ଭର ଜାମାତା ବିଲାତ ଓ ଆମେରିକା ଯାଇ ଶିଳ୍ପ ବାଣିଜ୍ୟ ଓ ଇଞ୍ଜିନିୟରିଙ୍ଗରେ ଭାରୀ ଯୋଗ୍ୟତା ଲଭି ଆସିଛନ୍ତି । ଗବର୍ଣ୍ଣମେଣ୍ଟ ତାଙ୍କର ଯୋଗ୍ୟତାରେ ସନ୍ତୁଷ୍ଟ ହୋଇ (ପଦକ ପକେଟରୁ ବାହାର କରି) ଏ ପଦକ ପୁରସ୍କାର ଦେଉଛନ୍ତି ।- ମୁକୁନ୍ଦ-!

ମୁକୁ

-

(ଚୌକିରୁ ଉଠି ଲାଟସମ୍ମୁଖରେ ବିନୀତଭାବେ ଦଣ୍ଡାୟମାନ) ।

ଲାଟ

-

(ମୁକୁନ୍ଦ - ବେକରେ ପଦକ ଝୁଲାଇଦେଇ) ଆମ୍ଭେ ଜଗତ୍‌ପିତା ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛୁଁ ତୁମ୍ଭେ ଶ୍ରୀମାନ୍ ଓ ଯଶସ୍ୱୀ ହୋଇ ଚିରକାଳ ସୁଖରେ ଏହା ନାଇଥାଅ ଆଉ ଲୋକେ ତାହା ଦେଖି ଉତ୍ସାହିତ ହୋଇ ତୁମ୍ଭର ଅନୁଗମନ କରନ୍ତୁ । ଯେଉଁ ଚମଡ଼ା-କାରଖାନା ବର୍ତ୍ତମାନ ଖୋଲା ଯିବ ତହିଁରେ ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା କଳ ଇତ୍ୟାଦି ସମସ୍ତ ତୁମ୍ଭେ ବସାଇଥିବା ଶୁଣି ଆମ୍ଭେ ପରମସନ୍ତୋଷ ଲାଭ କରିଛୁଁ । ତୁମ୍ଭର ଶ୍ୱଶୁର ବଡ଼ ଚତୁର ଲୋକ - ସେ ଚମଡ଼ା-କାରଖାନାରେ ଉପଯୁକ୍ତ ଲୋକ ରଖି ବାଘ, ସାପ, କୁମ୍ଭୀର ଇତ୍ୟାଦି ହିଂସ୍ରଜନ୍ତୁ ମାରି ଲୋକଙ୍କର ପ୍ରାଣରକ୍ଷାର ମଧ୍ୟ ଉପାୟ କରିଛନ୍ତି। ସକଳ ପ୍ରକାରେ ଲୋକଙ୍କର କଲ୍ୟାଣକର ଏ ଭଳି କାରଖାନାର ଆମ୍ଭେ ମଙ୍ଗଳ କାମନା କରୁଁ । ବର୍ତ୍ତମାନ ସାନ୍ତାଳମାନଙ୍କର ନାଟ ହେଉ । - ନାଚ ସଇଲେ କାରଖାନା ଖୋଲା ହେବ ଆଉ ସମସ୍ତେ ତାହା ଦେଖି ବାହୁଡ଼ିବୁଁ । (ଉପବେଶନ ।)

ସାନ୍ତାଳଯୁବକ

ଓ ଯୁବତୀଗଣ

-

(ଆଗକୁ ଆସି ନୃତ୍ୟ ସହିତ ଗୀତ)

 

 

ଗୀତ ।

 

 

ଯେଉଁ ଜଗତଠାକୁର ଗଢ଼ିଲେ ସଂସାର ଶିଳ୍ପୀ ତାଙ୍କୁ ବଳି ନାହିଁ ।

 

 

ସଦା କାର୍ଯ୍ୟେ ରତି ସେ ବିଶ୍ୱବିଧାତା ଅଳସ ତେଜରେ ଭାଇ ।।

 

 

ଦେଖ ଚାରିପାଶେ ଘେରି ରହିଚନ୍ତି ଜଗତଠାକୁର ମୋର ।

 

 

ଦେଖୁଚନ୍ତି ପିଲେ କି କଲେ ନ କଲେ ବୁଦ୍ଧି ଦେଉଚନ୍ତି ସାର ।।

 

 

ଅନ୍ତର୍ଯ୍ୟାମୀ ସେହି ଜାଣନ୍ତି ଅନ୍ତର ଦେଉଚନ୍ତି ବଳ କେତେ ।

 

 

ସଂସାର-ସାଗର ହେଳେ ତରିଯିବ ଯେ କରିବ କାର୍ଯ୍ୟ ଯେତେ ।।

 

 

ମାତା ପିତା ଭ୍ରାତା ଭଗିନୀ ସକଳେ ପ୍ରେମଡୋରେ ଛନ୍ଦା ହୋଇ ।

 

 

କାର୍ଯ୍ୟକ୍ଷେତ୍ରେ ଲାଗ ସନ୍ତୋଷମନରେ ସୁଫଳ ପାଇବା ପାଇଁ ।।

 

 

ଦେଶହିତେ ରତ ହେବ ଯେଉଁ ଲୋକ କାର୍ଯ୍ୟହିଁ କେବଳ ତାର ।

 

 

ପାଇବ ସମ୍ମାନ ଈଶ୍ୱର-କଲ୍ୟାଣ ଧର ଏ ବଚନ ସାର ।।

 

 

 

ଲାଟ ଓ ଲାଟପତ୍ନୀ

-

(ଆନନ୍ଦରେ ତାଳିବାଦନ) ।

ସଭାସ୍ଥ ସକଳେ

-

(ଆନନ୍ଦରେ କରତାଳି ପ୍ରଦାନ) ।

ମୁକୁ

-

(ଲାଟସାହେବଙ୍କୁ ସୁବର୍ଣ୍ଣକୁଞ୍ଚି ବଢ଼ାଇଦେବା ।) ଏହି କୁଞ୍ଚିରେ ଦ୍ୱାର ଖୋଲିଦେଲେ ଏକାବେଳେକେ କଳମାନ ଚାଲିବ ।

ଲାଟ

-

(ଠିଆ ହୋଇ) ଏହି ଶୁଭକ୍ଷଣରେ ଆମ୍ଭେ କାରଖାନା-ଘର ଖୋଲାହେବା ପ୍ରକାଶ କଲୁଁ । (ଦ୍ୱାରଦେଶରେ କୁଞ୍ଚି ମୋଡ଼ିଦେବା ।)

 

 

[ଦ୍ୱାର ଖୋଲିଯାଇ ଦିବ୍ୟ କଳଚାଳନ ଦୃଶ୍ୟ]

 

 

(ଟିକିଏ ନିରୀକ୍ଷଣ କରି) ଅତି ସୁନ୍ଦର ! ବିଶେଷ ବିଶେଷ ଧନ୍ୟବାଦ !

ଲାଟପତ୍ନୀ

-

(ଉଠି ଦେଖି) ବିଶେଷ ଧନ୍ୟବାଦ । (ତାଳିବାଦନ) ।

ସଭାସ୍ଥ ସକଳେ

-

(ଉଠି ଦେଖି ତାଳି ବଜାଇବା)

ଲାଟ

-

ଆସ, ସମସ୍ତେ ଭିତରକୁ ଯାଇ ଦେଖିବା ।

 

 

[ଲାଟ ଓ ଲାଟପତ୍ନୀ ପଛରେ ସମସ୍ତଙ୍କର ଭିତରକୁ ପ୍ରସ୍ଥାନ ଓ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]

ଅଃ କୁଃ

-

(ନୃତ୍ୟ ସହିତ ଗୀତ ।)

 

 

ରାଗିଣୀ ବେହାଗ ଖମ୍ବାଜ । ତାଳ ଖେମଟା ।

 

 

ଦେଖ କଳା-କଉଶଳ ।

 

 

କଉଶଳେ ଚଳେ ଚରାଚର । ଘୋଷା ।

 

 

ମରମ ଜାଣେ ବିଜ୍ଞାନ, ଜାଣି ଜନେ ହୁଅ ଧନ୍ୟ,

 

 

ଦିନ ନିଅ ଭୁଞ୍ଜ ସୁଖ ଯେତେ ପାର । ୧ ।

 

 

ସଂସାର-କାରଖାନାରେ କି ସଜରେ କଳଚାଲେ

 

 

ସଜାଅ ସେହି ସଜରେ ଯାଉ ଯଶ ଦେଶାନ୍ତର ।

 

 

ଲାଗିଲେ ଶିଳ୍ପରେ ସିନା ଉଡ଼ିବ ଗୌରବ-ବାନା

 

 

ଶୋହିବେ କମଳାସନା ଉତ୍କଳ-ଭଣ୍ଡାର । ୨ ।

 

 

ଯବନିକାପତନ ।

Image

 

ଚତୁର୍ଥ ଅଭିନୟ

ପ୍ରଥମଦୃଶ୍ୟ

ଅରଣ୍ୟ

[ମୁଖେ ପିଙ୍କା, ଡାହାଣ ହାତେ ଠେଙ୍ଗା ଓ ବାମହସ୍ତେ ବରିଆ ଧରି ଚୌକିଦାରର ପ୍ରବେଶ ।]

 

ଚୌକି

-

(ପାଟିକରି) ହୁସିୟାର ! ଖବରଦାର ! (ଚାରିଆଡ଼କୁ ଅନାଇ) ଘୋର ଜଙ୍ଗଲ-! କିଟକିଟିଆ ଅନ୍ଧାର ! ଏଠାକୁ ସେମାନେ କାହିଁକି ଆସିବେ ! (ପୁଣି ଚତୁର୍ଦ୍ଦିଗ ନିରୀକ୍ଷଣ କରି) କାହିଁ ? କେହି କୁଆଡ଼େ ନାହିଁ । ମୁଁ ଯେତେ କହିଲି ଦାରୋଗା ମାନିଲେ ନାହିଁ । କେତେବେଳେ ଗସ୍ତରେ ଆସିଲା ବେଳେ କେଉଁଠି ଗୋଳମାଳ ଶୁଣିଥିଲେ ଯେ ମୋର ଦୋଷ ହେଲା, କଣନା, ମୁଁ ଏଠିକି ଆସିଲି ନାହିଁ । ଓଃ ! ବାପରେ ! (ମୁଖଭଙ୍ଗ କରି) ଭୁତଚିରକୁଣୀ ଏଠାକୁ ଆସିଲେ ମୋର ପ୍ରାଣଯିବ ! ମୋର ଆଉ ପିଲାପିଲୀ ନାହିଁ - ଠେଙ୍ଗାଟା ଅଛି ବୋଲି କାହାରିକି ଡରେ ନାହିଁ । ମୁଁ ଚୋର ଧରିବି, ଆଉ ଦାରୋଗା ପାଇବେ ବକସିସ - ତାଙ୍କର ପାହିଆ ବଢ଼ିବ । - ଏଗୁଡ଼ାକ ଚୌଧୁରୀ ମଲାଦିନୁଁ ତ ଆଉ ମଦ ମାହାଳିଆ ପାଉନାହାନ୍ତି - ୟାର କଦଳି ଖଣ୍ଡେ, ତାର କଖାରୁଟାଏ, କାର ଛତାବାଡ଼ି, କାର ଲୁଗାପଟା ଚୋରୀ କରି ନେଉଚନ୍ତି - ମାନ ଧଇଲେ ଦରୋଗା କହିଲେ ମୁଁ ଚୋର । ମୁଁ ଏମତେ ଚାକରୀ ଆଉ କରିବି ନାହିଁ !

 

 

(ଗୀତ)

 

 

ରାଗିଣୀ ସିନ୍ଧୁ ଖମ୍ବାଜ । ତାଳ ଖେମଟା ।

 

 

ମୋର ଜୀବିକା ଆଉ କିଛି ନାହିଁ କି ।

 

 

ମନ କଲିକତା ଯିବା ପାଇଁ କି । ପଦ ।

 

 

କଲିକତାରେ -

 

 

ଦିନକୁ କାମ ଶକ୍ତ, ରାତି କି ଫରାକତ

 

 

ମଜା ନେବ ରାତି ରାତି ଶୋଇ କି । ୧ ।

 

 

ଆମ ଦେଶରେ -

 

 

ପୁଲୀଶ ରୁଲବାଡ଼ି, ଲାଟ୍‌ସାହେବ୍ ଖବରଦାରୀ,

 

 

ଚୁଡ଼ା ଚାଉଳ ବାନ୍ଧି ଯିବି କାହିଁକି । ୨ ।

 

 

ଆଉ ଦେଖୁଚ -

 

 

ଦାନାରୁ କନା ନାହିଁ, ବୁଲେଁ ପୋଷାକ ନାଇ,

 

 

ସବୁ ଲାଗେ ଜଗତ-ଗୋସାଇଁ କି । ୩ ।

 

 

ଆଉ ଚାକରୀ ନ କଲେ ଖାଇବି କିସ ? ୟାଙ୍କରିପରି ଆଉ ଚୋରୀ କରିବି କି ।- ଯାଏଁ ଆଉ କେଉଁଠି ଥିବେ ଦେଖେ । (ପାଟିକରି) ହୁସିୟାର ! ଖବରଦାର !

 

 

(ପ୍ରସ୍ଥାନ)

 

 

[ଚାନ୍ଦମଣିର ପ୍ରବେଶ ।]

ଚାନ୍ଦ

-

ଓଃ ! କି କାଳୀ ଅନ୍ଧାର ! (ସ୍ୱଗତ) ମୋତେ ପୁଣି ଏ ସ୍ଥାନ ମାଡ଼ିବାକୁ ହେଲା-! ଚୌଧୁରୀଙ୍କ ହେସାବରୁ ଚୋରୀକରି ମୁଁ ଜମିଦାରୀ ବାନ୍ଧିଥିଲି - ଦଶତୋଡ଼ା ନଗଦ ଥିଲା । ୟେ ନିର୍ବଂଶିୟା ମୋଠୁ ନେଇ ବେଳେ ବେଳେ ମଦ ଖାଉଥିଲେ – ମୁଁ ନ ଦେଲାଠୁ ମୋର ସର୍ବସ୍ୱ ଲୁଟି ନେଲେ । ମାମଲା କଲି ଯେ ହାକିମ କହିଲେ ପାଞ୍ଚଟକିଆ ମୁଣ୍ଡ, ୟାଘରେ ପୁଣି ଏତେ ମାଲ କୁଆଡ଼ୁ ଆସିଲା ! ସେତ ପାଇଲେ ଖଲାସ, ମୋ ଉପରେ ଦୁଇଶ ଏଗାର ହେବାରୁ ଜମିଦାରୀ ବିକି ଓକୀଲ ବାରିଷ୍ଟାର ଦେଇ ଛୁଟି ପାଇଲି । - ବୃନ୍ଦ ସାହେବ କଣା, ଆଣ୍ଠୁଆଡ଼ୁ ବୁଝାମଣା । ଦୈବ ବି ବୁଝିଲେ ନାହିଁ ! (ଚମକି ଚାହିଁ) ହେଇ, କିଏ ଆସୁଛି ପରା !

 

 

[ରତନ, ମାଣିକ, ଭଜନା, ପାଣ୍ଡବ, ଚିନ୍ତାମଣି, ଘନ ଓ ଚେତନର ପ୍ରବେଶ]

 

 

ତୁମ୍ଭେମାନେ ଏତେ ଦେରୀ କଲ ?

ରତ

-

ଭକୁଆାଟା ନା କଣ ! ଚଉକିଆ ଆସିଥିଲା ପରା, ସେ ଆର ତୋଟା ପାରି ହୋଇଗଲା ତେବେଯାଇ ଆମେମାନେ ଆସିଲୁଁ । - ବାଟେତ ହାବୁଡ଼େ ପଡ଼ିଥାନ୍ତୁଁ ।

ମାଣି

-

ମଣିଷଟା ହୋଇ ବାଘପରି ଆଖି ତରାଟି ଚାଲିଛି ।

ଭଜ

-

ତା ଆଖି ଦିଟା ଦେଖିକରି ପରା ମୋତେ ତରଛ ମାଡ଼ିଲା । - ଭାଇ କି ଦୁଃଖର କଥା, ସରକାର କେତେ ପସନ୍ଦ କରି ଦୁଆରେ ଦୁଆରେ ମଦ-ଦୋକାନ କରିଦେଲେ - (ମୁଖଭଙ୍ଗି କରି) କ୍ୟା ଆଛା ମାଲ - ପଇସା ନ ଥିଲାକୁ ଆଜି ଟୋପାଏ ହୋଇ ପେଟରେ ପଡ଼ିଲା ନାହିଁ । ମୁଁ ଶୁଣ୍ଢିକି ଜଗାଇ ଦେଇ ଆସିଛି ଯେତେ ରାତି ହେଉ ଆମେ ଗଲେ ସେ ମଦ ଦେବ । - ମା କାଳୀ ବିଚାର କଲେ ଆଜି ଭଣ୍ଡାର ଲୁଟି ପାଞ୍ଚଟଙ୍କାର ସ୍ୱଦେଶୀ ମାଲ ମାଙ୍କ ପ୍ରସାଦ ହେବ ।

ଚୈତ

-

ଚାନ୍ଦମଣି ଆମ ସଙ୍ଗେ ଯାଇପାରିବେ - ଗୋଡ଼ତ ଥରିବେ ନାହିଁ - ସେ ନୂଆ ଭୁଆ ।

ଚାନ୍ଦ

-

ଆଚ୍ଛା, କାରଖାନା ଭିତରେ ଯେଉଁଠି ଲୁହା ସିନ୍ଦୁକ ଥାଏ ତୁମେ ଠିକ୍‌କରି ଦେଖିଛ ? - ସେଠିକିତ ଯିବାକୁ ମନା ।

ଭଜ

-

ମୁଁ ପରା ମାଳୀ କାମ କରିବା ବାହାନାରେ ଯାଇଥିଲି - ପେଖନା କରି ସବୁ ବୁଲିଚାଲି ଦେଖିଛି । (ହାତରେ ଦେଖାଇ) ପାଞ୍ଚୁଟା ଏଡ଼େ ଏଡ଼େ ଲୁହା ସିନ୍ଦୁକ - ସମସ୍ତେ କହନ୍ତି ମୋହର, ନୋଟ, ଟଙ୍କା ହୋଇ ପାଞ୍ଚକରୋଡ଼ ଟଙ୍କା ଅଛି ।

ରତ

-

ଆଚ୍ଛା ପାଞ୍ଚକୋଟି ଟଙ୍କା କେତା ଶଗଡ଼ ହେବ ?

ମାଣି

-

ନୋଟ ଗୁଡ଼ାକତ ହାତରେ ଜାକି ହୋଇଯିବ ।

ଭଜ

-

ଏତେବେଳେ ସେ ହିସାବ କରିବା ବେଳ ? - ସେ କଣ ପଦାରେ ଅଛି ଯେ ହାତରେ ମୁଠାଇ ଆଣିବ ।

ଚାନ୍ଦ

-

ଲୁହାସିନ୍ଦୁକ ଆଣିବ କେମନ୍ତେ ?

ଭଜ

-

ବାଉଁଶ ଦଉଡ଼ି ନେଇଥିବା, ସାଙ୍ଗିକରି ଆଣିବା ।

ରତ

-

ଏତକ ବୁଦ୍ଧି ଦିଶିଲା ନାହିଁ, ଆଉ ଗୁମାସ୍ତାଗିରି କରୁଥିଲେ !

 

 

 

ମାଣି

-

ଆଚ୍ଛା ଭିତରେ ଥିଲାବେଳେ ଯଦି ବାଟ ଓଗାଳିବ – ପାଚେରୀ ତ ଭାରୀ ଉଞ୍ଚା ?

ଭଜ

-

ଗଲାବେଳେ ଦିଟା ବାଉଁଶ ଡେରି ଦେଇ ଯାଇଥିବା, ତାକୁ ଧରି ଧୁପଧାପ୍ ଓହ୍ଲାଇପଡ଼ି ପଳାଇବା ।

ଚାନ୍ଦ

-

ଏ ହିସାବ ଠିକ୍ ।

ଭଜ

-

(ମୁଖଭଙ୍ଗି କରି) ହେଁ-ୟେ ଚୌଧୁରୀ ଘର ହିସାବ ନୁହେଁ, ଲେଖିଲାଖି ଦେଇପାର । - ଦେଖ, ତାଙ୍କ ପହରାବାଲାଏ ଠିକ୍ ରାତ୍ର ଦୁଇ ପ୍ରହର ହେଲେ ଗୋଟାଏ ମାଇକନିଆ ଘରକୁ ଯାନ୍ତି, ସେତିକି ବେଳେ ଗଲେ ଘଣ୍ଟାକ ଭିତରେ କାମ ଫଏର - ସେ ଆସୁ ଆସୁ ଦିଘଣ୍ଟା ।

ଚାନ୍ଦ

-

ମୁଖା, ବାଉଁଶ, ଦୁଇପ୍ରହର ହେଲା ନାହିଁକି ! - ମୁଖା ଆଣିଛ ?

ଭଜ

-

ମୁଖା, ବାଉଁଶ, ଦଉଡ଼ି ସବୁ ଆର ବୁଦାରେ ଠିକ କରି ରଖିଛି ଚାଲ ସମସ୍ତେ ସଜ ହୋଇ ଆସିବା ।

 

 

[ସମସ୍ତଙ୍କର ପ୍ରସ୍ଥାନ ଓ ମୁଖାପିନ୍ଧି ପାଇକଛି ମାରି ହାତରେ ବଡ଼ ବଡ଼ ବାଉଁଶ ଓ ଦଉଡ଼ି ଧରି ପ୍ରବେଶ ।]

ରତ

-

ଥିରହୋଇ ଚାଲ - ରାମଚନ୍ଦ୍ର ଲଙ୍କାକୁ ଗଲାବେଳେ ବି ଏଭଳି ସୈନ୍ୟ ନ ଥିଲେ ।

ସମସ୍ତ

-

ଜୟ ମା କାଳୀ ! ତୁ ରକ୍ଷା କରିବୁ ! (ପ୍ରସ୍ଥାନ ।)

 

 

ପଟପରିବର୍ତ୍ତନ

Image

 

ଦ୍ୱିତୀୟ ଦୃଶ୍ୟ

କାରଖାନା ପ୍ରାକାରର ବହିର୍ଦ୍ଦେଶ

[ବନ୍ଧୁକ କାନ୍ଧରେ ଧରି ଧୁନ୍ଦା ଓ ଭୁନ୍ଦାର ଗୀତ ଗାଉଁ୨ ପ୍ରବେଶ ।]

 

ଧୁନ୍ଦା ଓ ଭୁନ୍ଦା

 

(ଗୀତ)

 

 

ରାଗିଣୀ ଗାରା ଭୈରବୀ । ତାଳ ଖେମଟା ।

 

 

ବଡ଼ା ଚାକରୀକି କଡ଼ା ହୁକୁମ ଜାରୀ ।

 

 

ଖଡ଼ ଖଡ଼ା କାମ ଦିନ ରାତି ସାରି । ଘୋଷା ।

 

 

ଚୋର ଡକାତ ଡର କହ ନାହିଁ କାହାର,

 

 

ଥୋଡ଼ା ପହରାକୁ ଯୋଡ଼ା କଥା ଭାରୀ । ୧ ।

 

 

ଡାକିବ ଯେବେ ନିଶା କରି ମଧୁର ନିଶା

 

 

ଚୌଡ଼ା ମନାକର ସୁଖେ ଦୌଡ଼ା ମାରି । ୨ ।

ଧୁନ୍ଦା

-

ଭାଇ ଆମେ ମାଇକନିଆ ରଖିଲୁଁ ବୋଲି ବାବୁଙ୍କ କତିରେ କିଏ କହି ଦେଇଛି !

ଭୁନ୍ଦା

-

ଆରେ, ସେଥିପାଇଁ ବାବୁ ମୋ ଉପରେ ଆଜି ଚିଡ଼ଚିଡ଼ି ହେଉଥିଲେ ! - ଆଜି ଆଉ ତେବେ ଯିବାନାହିଁ ।

ଧୁନ୍ଦା

-

(ଟିକିଏ ରହିଯାଇ) ଆରେ, ଚାଲ୍‌ମ । - ଏଡ଼େବଡ଼ ପାଚେରୀ, ଚୋରର ବାପର ସାଧ୍ୟ ଅଛି ଆସିବ ! ରାତି ଦିପହର, ନିଶା ଗରଜିଲାଣି - ଆଜି ଟିକିଏ ଚଞ୍ଚଳ ଚାଲିଆସିବା ।

ଭୁନ୍ଦା

-

(ଚାରଆଡ଼କୁ ଅନାଇ) ହଁ ଚାଲ - କେହି କୁଆଡ଼େ ନାହିଁ ।

 

 

[ଧୁନ୍ଦା ଓ ଭୁନ୍ଦାର ପ୍ରସ୍ଥାନ ଓ କିଛିକ୍ଷଣ ଉତ୍ତାରୁ ମୁଖାବନ୍ଧା ମାଣିକ, ରତନ ଇତ୍ୟାଦିର ପ୍ରବେଶ ଓ ବାଉଁଶରେ ଭରାଦେଇ ପାଚେରୀ ଟପି ଦୁଇଗୋଟି ବାଉଁଶ ଡେରି ରଖିଯିବା ଓ କିୟତ୍‌କାଳ ପରେ ବାମଦେବ ଓ ମୁକୁନ୍ଦର ପ୍ରବେଶ ।]

ବାମ

-

ମୁଁ କହୁଥିଲି ଏ ପହରାବାଲାମାନେ କାମ ଢିଲା କରୁଛନ୍ତି - ସବୁବେଳେ ଜଗି ନ ଚାଲିଲେ କି ଚଳେ !

ମୁକୁ

-

ସତକଥା ବାପା । ମୁଁ ମନେ କରିଥିଲି ମଜବୁତ ହୁସିୟାର ଲୋକ ଯୋଡ଼ାଏ - ଦୁଇଜଣ ଯାକ ପଶ୍ଚିମା ହେଲା ଆପଣା ମଧ୍ୟରେ ସଲ୍ଲ କରିବେ । ସେଥିସକାଶେ ଜଣେ ପଶ୍ଚିମା ଆଉ ଜଣେ କଣ୍ଡରା ରଖାଗଲା । ଚାରିଆଡ଼ତ ଆମେ ବୁଲି ଅଇଲୁଁ, ଦୁଇଜଣ ଯାକ କୁଆଡ଼େ ଯାଇଛନ୍ତି - ଦେଖାନାହିଁ ।

ବାମ

-

(ଖଣ୍ଡେ ବାଉଁଶ ଦେଖି ଧରି ପକାଇ) ଏ ବାଉଁଶ ଖଣ୍ଡ ଏଠି ଡେରା ହୋଇଛି କାହିଁକି ? ଅନ୍ଧାରରେ ତ ଦୂରୁଁ ଦିଶୁ ନ ଥିଲା !

ମୁକୁ

-

(ଆଶ୍ଚର୍ଯ୍ୟାନ୍ୱିତ ହୋଇ) ସତେ ତ ! (ଆଉ ଟିକିଏ ଅନାଇଁ) ହେଇଟିତ, ବାବା ଆଉ ଗୋଟାଏ ବାଉଁଶ !

ବାମ

-

(ଅତ୍ୟାଶ୍ଚର୍ଯ୍ୟ ହୋଇ) ଚୋରା ଚାବି ଆଣିଛତ, ଝଟ ଚାଲ, ଦେଖିବା କେହି ଚୋରତ ପଶିନାହିଁ । - ବାଉଁଶ ଦୁଇଖଣ୍ଡ ତଳକୁ ରଖିଦେଇ ଯିବା ।

 

 

[ବାଉଁଶ ଦୁଇଟା ତଳେ ଥୋଇଦେଇ ବାମଦେବ ଓ ମୁକୁନ୍ଦର ପ୍ରସ୍ଥାନ ।]

ନେପଥ୍ୟେ

-

(ବନ୍ଧୁକର ଶଦ୍ଦ ଓ ପରେ ଚୋର, ଚୋର, ଧର, ଧର କୋଳାହଳ ।)

 

 

[ପାଚେରୀ ଉପରୁ ଦଉଡ଼ି ଓ ମୁଖା ପକାଇଦେଇ ରତନ ମାଣିକ ଇତ୍ୟାଦିର କୁଦି ପଡ଼ିଯିବା ଓ ମୁଖ ବିକଟାଇ କଷ୍ଟରେ ଉଠି ଲେଙ୍ଗଡ଼ାଇବା ଏବଂ ଏକ ପାର୍ଶ୍ୱରୁ ବାମଦେବ ଓ ମୁକୁନ୍ଦର ପ୍ରବେଶ ।

ବାମ ଓ ମୁକୁ

-

(ଦଉଡ଼ିଆସି ପାଟିକରି) ଧର ! ଧର !

 

 

[ଧୁନ୍ଦା ଓ ଭୁନ୍ଦାର ଦ୍ରୁତବେଗେ ପ୍ରବେଶ ଓ ପରେ କାରଖାନାର ଶିଳ୍ପିମାନଙ୍କର ଦ୍ରୁତ ପ୍ରବେଶ ।]

ଧୁନ୍ଦା

-

(ପାଟିକରି) ହେଇ ଚୋର (ରତନକୁ କୁଣ୍ଡାଇ ଧରିବା) ।

ଭୁନ୍ଦା

-

(ପାଟିକରି) ହେଇ ଚୋର ରେ (ମାଣିକକୁ କୁଣ୍ଢାଇ ଧରିବା)

ଶିଳ୍ପିଗଣ

-

(ଭଜନା ଇତ୍ୟାଦିଙ୍କି ଧରିବା ।)

ବାମ

-

ଧୁନ୍ଦା, ଭୁନ୍ଦା ଆଉ ତୁ କୁଆଡ଼େ ଯାଇଥିଲୁ ?

ଧୁନ୍ଦା

-

ଭୁନ୍ଦାକୁ ହଗ ମାଡ଼ିଲା । ସେ ପୋଖରୀକି ଗଲା - ମୁଁ ଏଇଠି ପରସ୍ରା କରୁଚି ଗୋଳମାଳ ଶୁବିଲା !

ବାମ

-

କେମନ୍ତ ! ମୁଁ ଏହିବାଟେ ଗଲି ତୋତେ ଦେଖିଲି ନାହିଁ ? ତୁମ୍ଭେମାନେ ବି ଚୋରଙ୍କ ସଙ୍ଗରେ ଅଛ । (ଗମ୍ଭୀରଭାବେ) ବାନ୍ଧ ଏ ଦୁହିଙ୍କି । ବାନ୍ଧ ସମସ୍ତଙ୍କୁ । ଏଇଠି ଦଉଡ଼ି ପଡ଼ିଛି ।

ଶିଳ୍ପିଦ୍ୱୟ

-

(ଧୁନ୍ଦା ଓ ଭୁନ୍ଦାକୁ ପଡ଼ିଥିବା ଦଉଡ଼ିରେ ବାନ୍ଧିବା ।)

ଅନ୍ୟ ଶିଳ୍ପିମାନେ

-

(ପଡ଼ିଥିବା ଦଉଡ଼ିରେ ରତନ ମାଣିକ ଇତ୍ୟାଦିଙ୍କି ବାନ୍ଧିବା ।)

ଧୁନ୍ଦା

-

(କ୍ରନ୍ଦନସ୍ୱରେ) ହଜୁର, ମୁଁ କେବେ ମିଛ କହି ନାହିଁ !

 

 

ଭୁନ୍ଦା (ତଦ୍‌ବତ୍) ହଜୁର, ମୁଁ କେବେ ଚୋରଙ୍କ ସଲ୍ଲାରେ ନାହିଁ ।

ଭଜ

-

(ତଦ୍‌ବତ୍) ହଜୁର, ଆମେ ସବୁ ଦେଖିବାକୁ ଯାଇଥିଲୁଁ - ଚୋର ନୋହୁଁ ।

ରତ

-

(ତଦ୍‌ବତ୍‌) ଚୋରୀ କରିବା ଆମର କାମ ନୁହେଁ ।

ମାଣି

-

(ତଦ୍‌ବତ୍‌) ହଜୁର, ବଡ଼ଲୋକ - କିଛି ଚୋରାଇ ନାହୁଁ, ଛାଡ଼ି ଦିଅନ୍ତୁ ।

ଚାନ୍ଦ

-

(ତଦ୍‌ବତ୍) ହଜୁର, ବ୍ରାହ୍ମଣକୁ ଜେଲ ଦେଲେ କି ଧର୍ମ ହେବ !

ପାଣ୍ଡ

-

(ତଦ୍‌ବତ୍) ହଜୁର, ସମସ୍ତଙ୍କ ଗୋଡ଼ଭାଙ୍ଗି ଗଲା ! ଏହି ସଜା -

ଘନ

-

(ତଦ୍‌ବତ୍) ହଜୁର, ଜାତି ପାଟକରୁ ଗଲେ ସବୁ ସରିବ, ଛାଡ଼ି ଦିଅନ୍ତୁ !

ଚୈତ

-

(ତଦ୍‌ବତ୍‌) ହଜୁର, ଥାଡ଼ା ଥାଡ଼ା ନାକ ଘସିଚି - ଛାଡ଼ି ଦିଅ ଆର ଏମତ କାମ କରବ ନାହିଁ - ପିଲା କୁଟୁମ୍ବ ଗଡିୟାଁ ମରିବ ।

ବାମ

-

ହଁ ଏତେବେଳେ ସବୁ କାନ୍ଦୁଛ - ଆମେ ଟିକିଏ ହେଳା କରିଥିଲେ ଜୀବନଯାକ ଆମକୁ କନ୍ଦାନ୍ତ ! ଚାଲ ସବୁ ଥାନାରୁ ଡାକ୍ତରଖାନାକୁ ଯାଇ ସେଠାରୁ ମାମୁଁ ଘରେ ଶିକ୍ଷା ପାଇବ । ବତ୍ସ ! ଚାଲ ଏମାନଙ୍କୁ ଥାନାକୁ ଘେନିଯିବା- ଏପର୍ଯ୍ୟନ୍ତ ଚୌକୀଦାରର ଦେଖା ନାହିଁ, ସେ ନିଶ୍ଚିନ୍ତ ନିଦଉଛି । ଦେଖ , ଯେଉଁମାନେ ଏମାନଙ୍କୁ ବାନ୍ଧି ଧରିଛନ୍ତି ତାଙ୍କ ଛଡ଼ା ଆଉ ସମସ୍ତ ଶିଳ୍ପିଏ ଯାଅ, ରାତ୍ରଯାକ ଜଗି ରହିବ ।

ଅନ୍ୟ ଶିଳ୍ପିଗଣ

-

ଯେ ଆଜ୍ଞା (ପ୍ରସ୍ଥାନ ।)

 

 

[ବାମଦେବ, ମୁକୁନ୍ଦ ଓ ଶିଳ୍ପିଗଣ ବନ୍ଧା ହୋଇଥିବା ଲୋକଙ୍କୁ ଘେନି ପ୍ରସ୍ଥିତ ଓ ଅଦୃଷ୍ଟକୁମାରୀମାନଙ୍କର ପ୍ରବେଶ ।]

 

 

 

ଅ, କୁ

-

(ନୃତ୍ୟ ସହିତ ଗୀତ ।)

 

 

ରାଗିଣୀ ଭୈରବୀ । ତାଳ କବାଲୀ ।

 

 

ସୁଜନେ ଦେଖି ବୁଝ ବଡ଼ କେ ସଂସାରେ ।

 

 

ଚଳନ୍ତି ସକଳେ ସୁଖ-ସମ୍ଭୋଗ-ଆଶାରେ । ଘୋଷା ।

 

 

ଶ୍ରମରେ ଦିନରାତି ନାହିଁ ଯାହାର କ୍ଲାନ୍ତି,

 

 

ଯଶ ତା କେ ଜଗତୀ ଭାଷିବ ଭାଷାରେ । ୧ ।

 

 

ଯେ ସତ୍ୟଧର୍ମେ ଚଳି ପରହିତ ଆଚରି

 

 

ଭବୁଁ ହୁଅଇ ପାରି ମୋକ୍ଷ-ପିପାସାରେ । ୨ ।

 

 

ଅଧର୍ମେ ପଥେ ଗଲେ ପଡ଼ିବ ନିଶ୍ଚେଁ ଖାଲେ

 

 

ଯାତନା ଲେଖା ଭାଲେ ନାନା ଦୁର୍ଦ୍ଦଶାରେ । ୩ ।

 

 

ସତ୍ୟ ଈଶ୍ୱର ବଳୀ ନାହିଁ ବେଦରୁ ବଳି

 

 

ମାନିଲେ ବଡ଼ ଛାଡ଼ି ଅଧର୍ମ-ଲାଳସା । ୪ ।

 

 

ଯବନିକାପତନ ।

Image